ଆଜି ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ
ବାରିପଦା : ଆଜି ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ। ୧୦ ଦାବି ନେଇ ଜିଲା ପେସା ଗ୍ରାମସଭା ସଂଗଠନ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । ଯାହାର ପ୍ରଭାବ ବାରିପଦା ସହର ଭିତରେ କାଁ ଭାଁ ଦେଖିବାକୁ ମିଳିଛି । ବିଶେଷ କରି ବନ୍ଦର ପ୍ରଭାବ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି। ପାଲବଣୀ ସ୍ଥିତ ଜାତୀୟ ରାଜପଥକୁ ଅନ୍ଦୋଳନକାରୀ ମାନେ ଅବରୋଧ କରିବା ଯୋଗୁଁ ବହୁ ସଂଖ୍ୟାରେ ଯାନବାହନ ରାସ୍ତା କଡରେ ଛିଡା ହୋଇ ରହିଥିଲା। ଆନ୍ଦୋଳନ ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପ୍ରାୟ ଦୁଇ ଘଣ୍ଟା ପରେ ରାଜପଥରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ଯଦି ସରକାର ଏ ଦିଗରେ କୌଣସି ପଦକ୍ଷେପ ନନିଅନ୍ତି । ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ଜିଲ୍ଲା ପେସା ଗ୍ରାମସଭା କୋ-ଅର୍ଡିନେସନ କମିଟି ।
ସୂଚନା ଯେ, ପେସା ଗ୍ରାମସଭା ସଂଗଠନ ପକ୍ଷରୁ ସମ୍ବିଧାନର ୨୫ ଏବଂ ୨୬ ଧାରା ଅନୁଯାୟୀ ଆଦିବାସୀ ସମୁଦାୟର ଜାହିରା ଗୁଡିକୁ ସମ୍ମାନ ଦେବା, ଆଦିବାସୀ ମାନଙ୍କ ଧର୍ମଗତ ମୌଳିକ ଅଧିକାର ପ୍ରଦାନ, ମୟୂରଭଞ୍ଜ ଜିଲାର ସମସ୍ତ ଜାହିରା ସ୍ଥାନ ଗୁଡିକୁ ସରକାରୀ ଭାବେ ଚିହ୍ନଟ କରିବା ପରି ଅନେକ ଦାବି ରହିଛି । ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ କର୍ମକର୍ତ୍ତା ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସମସ୍ୟା ସମ୍ପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ଯାହାକୁ ନେଇ ମଙ୍ଗଳବାର ଏହି ୧୨ ଘଣ୍ଟିଆ ଜିଲା ବନ୍ଦର ଡାକରା ଦିଆଯାଇଛି।


