ରାଜ୍ୟ ରାଜନୀତିରେ ‘ମେ ୨୯’ ! ଆଜି ନବୀନ ପଟ୍ଟନାୟକ ନେଇପାରନ୍ତି ଏହି ସବୁ ପଦକ୍ଷେପ
ସୁନ୍ଦରଗଡ଼: କଥାରେ ଅଛି, ରାଜନୀତିରେ କିଛି ହଠାତ୍ ଘଟେ ନାହିଁ। ପ୍ରତ୍ୟେକ ଘଟଣା ପୂର୍ବ ନିୟୋଜିତ କୌଣସି ନା କୌଣସି ଯୋଜନାର ଅଂଶ ବିଶେଷ। ଅର୍ଥାତ୍ ରାଜନୀତିର ପଶାପାଲିରେ ପ୍ରତ୍ୟେକ ଗୋଟି ଚାଳନା ପାଇଁ ଖସଡ଼ା ବା ମାଷ୍ଟର ପ୍ଲାନ୍ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥାଏ। ତେବେ ଓଡ଼ିଶା ରାଜନୀତିରେ ଘଟି ଯାଇଥିବା, ଘଟୁଥିବା ଏବଂ ଘଟିବାକୁ ଥିବା ଘଟଣାବଳୀ ପଛରେ କଣ ରହିଛି ମାଷ୍ଟର ପ୍ଲାନ୍? କେଉଁମାନେ କରୁଛନ୍ତି ଏହି ମାଷ୍ଟର ପ୍ଲାନ୍? କଣ ରହିଛି ଉଦ୍ଦେଶ୍ୟ? ଏସବୁ ପ୍ରଶ୍ନ ଏବେବି ଅନେକ ରାଜନୀତି ବିଶେଷଜ୍ଞମାନଙ୍କ ବୁଝିବା ପାଇଁ କଷ୍ଟକର ବ୍ୟାପାର ସାଜିଛି। କିନ୍ତୁ ଏକଥା ସ୍ପଷ୍ଟ ଯେ, ଦୀର୍ଘ ୨୨ବର୍ଷ ଧରି ଦିନକୁ ଦିନ ନିରାଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ଚାଲିଥିବା ୨୬ ଡିସେମ୍ବର ୧୯୯୭ ମସିହାରେ ଗଠିତ ବିଜୁ ଜନତା ଦଳ ଗଠନ ଠାରୁ ଆରମ୍ଭ କରି, ୨୦୧୨ ମେ ୨୯ ଘଟଣା ଭଳି ଅନେକ କ୍ଷେତ୍ରରେ ରାଜ୍ୟ ରାଜନୀତି ସହିତ ଯୋଡି ହୋଇଛି ରାଉରକେଲାର ନାଆଁ। ଆଉ ସେସବୁ ଘଟଣାବଳିରେ ରାଉରକେଲାର ଦୁଇ ନେତା ବିଜୁ ବାବୁଙ୍କ ମାନସପୁତ୍ର ବୋଲାଉଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏବଂ ପୂର୍ବତନ ମନ୍ତ୍ରୀ ଶାରଦା ନାୟକଙ୍କ ସଂପୃକ୍ତି ରାଜ୍ୟ ରାଜନୀତିର ଏକ ଅଭୁଲା ଅଂଶ।
ରାଜ୍ୟ ରାଜନୀତିରେ କଣ “ମେ ୨୯” ଯେ କେବଳ ୨୦୧୨ ମସିହାରେ କ୍ଷମତା କେନ୍ଦ୍ର ବୋଲାଉଥିବା ପ୍ୟାରିମୋହନ ମହାପାତ୍ରଙ୍କ ଦ୍ଵାରା ରଚିତ ବୋଲି କୁହାଯାଉଥିବା ମିଡ୍ ନାଇଟ ଅପରେସନର କଳା ଦିବସ ପାଇଁ ସର୍ବଦା ମନେ ରହିବ? ବୋଧହୁଏ ନାଁ। କାରଣ ଏହି ଦିନଟି ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟ ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ବହନ କରୁଛି। ସମୟ ଅତିକ୍ରମ କରିବା ସହିତ ଏହି କଳା ଦିବସକୁ ବର୍ତ୍ତମାନ ଅନେକ ଉତ୍ସାହର ସହିତ ଶାସକ ବିଜେଡି ସମେତ ବହୁ ଓଡ଼ିଶାବାସୀ ପାଳନ କରୁଛନ୍ତି। କାରଣ ଏହି କଳା ଦିବସ ଗୋଟିଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ପାୱାରଫୁଲ ୫ଟି ସଚିବ କାର୍ତ୍ତିକେୟନ ପାଣ୍ଡିୟାନଙ୍କ ଜନ୍ମଦିନ ହୋଇଥିବା ବେଳେ, ଅନ୍ୟପଟେ ଗତ ୨୦୧୯ ମସିହାରେ ଏହିଦିନରେ ଓଡ଼ିଶାବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ୫ମ ଥରପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଇତିହାସ ରଚିଥିଲେ। ଯାହା ଏହି କଳା ଦିବସର ଇତିହାସକୁ ଘୋଡାଇ ନୂଆ ଉଦ୍ଦୀପନା ସୃଷ୍ଟି କରିବାରେ ଖୋରାକ ଯୋଗାଇଛି।
ଏଠାରେ ପ୍ରଶ୍ନ ଉଠୁଛି, ୨୦୧୨ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ଜନ୍ମ ଦିନରେ ମୁଖ୍ୟମନ୍ତ୍ରୀ ତାଙ୍କ ସହିତ ବିଦେଶ ଯିବା ଏବଂ ସେହି ସମୟରେ ହଠାତ୍ ଓଡ଼ିଶା ରାଜନୀତି ଇତିହାସର କଳଙ୍କିତ ଦିନର ପରିକଳ୍ପନା କଣ ଏକ ସଂଯୋଗ ମାତ୍ର ହୋଇପାରେ? ନାଁ ଏହା ପୂର୍ବ ନିୟୋଜିତ କୌଣସି ରାଜନୈତିକ ଯୋଜନାର ପ୍ରତିଫଳନ? ଯଦି ରାଜନୀତିରେ କୌଣସି ଘଟଣା ହଠାତ୍ ଘଟେନାହିଁ, ତେବେ ଏହି କ୍ଷେତ୍ରରେ କିଏ କରୁଥିଲା ଗୋଟିଚାଳନା? କିଏ ବନିବାକୁ ଚାହୁଁଥିଲା ମୁଖ୍ୟମନ୍ତ୍ରୀ? କାହିଁକି ଏହାର ଭିତ୍ତିଭୂମି ରାଉରକେଲାରୁ ଆରମ୍ଭ କରାଯାଉଥିଲା? କିଏ ରହିଥିଲା ମାଷ୍ଟର ମାଇଣ୍ଡ? ତତ୍କାଳୀନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ଶାରଦା ନାୟକଙ୍କ କେତେ ରହିଥିଲା ସଂପୃକ୍ତି? ଯଦି ସଂପୃକ୍ତି ଥିଲା ତେବେ ତାଙ୍କୁ ଏବେ ପର୍ଯ୍ୟନ୍ତ ଅନେକ ଦଳୀୟ ସାଂଗଠନିକ ଦାୟିତ୍ଵ ମିଳୁଛି କିପରି? ନାଁ ଏହା ପଛରେ ରହିଛି ଅନ୍ୟକିଛି ରାଜନୀତି? ଏଭଳି ଅନେକ ପ୍ରଶ୍ନ ଏବେବି ଅନେକ ରାଜନୀତି ପଣ୍ଡିତମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଯାହାର ପ୍ରକୃତ ତଥ୍ୟ ଏବେବି ପରଦା ଆଢ଼ୁଆଳରେ ରହିଛି।
