ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା
ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୭ ତାରିରେ ଶେଷ ହେବ । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ରାମାଶିଷ ହାଜରା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏହି ଅବସରରେ ବୋର୍ଡ ଉପସଭାପତି ନିହାରରଂଜନ ମହାନ୍ତି କହିଛନ୍ତି ଏଥର ପରୀକ୍ଷାକୁ ନିର୍ଭୁଲ ଭାବେ କରାଯିବା ଲାଗି ପଦକ୍ଷେପ ନିଆଯାଇଛି । ଏଥର ନୋଡାଲ ସେଂଟରର ପରିବର୍ତନ କରାଯିବ ନାହିଁ । ଖୁବ୍ ଶୀଘ୍ର ଫର୍ମଫିଲଅପ୍ ତାରିଖ ଘୋଷଣା କରାଯିବ । ଚଳିତ ବର୍ଷ ପିଲାମାନେ ଅନଲାଇନରେ ଫର୍ମଫିଲଅପ୍ କରିବେ । ସକାଳ ୧୦ ଠାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ ପରୀକ୍ଷା । ପ୍ରଥମ ଦିନ ୯ଟା ସମୟରେ ଏବଂ ୨ୟ ଦିନ ଠାରୁ ୯. ୨୦ରେ ଛାତ୍ରଛାତ୍ରୀମାନେ ହଲ ଭିତରକୁ ପ୍ରବେଶ କରିପାରିବେ । ଛାତ୍ରଛାତ୍ରୀଙ୍କୁ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ଦିଆଯିବ । ରାଜ୍ୟର ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେବ । ଚଳିତ ଶିକ୍ଷାବର୍ଷ ରାଜ୍ୟର ୫ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରାଛାତ୍ରୀ ମାଟ୍ରିକ୍ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି । ସମ୍ମେଟିଭ ୧ରେ ହୋଇଥିବା ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଂଟର୍ ସମ୍ମେଟିଭ ୨ ରେ ମଧ୍ୟ ରହିବ । ଏଥିରେ କୌଣସି ପରିବର୍ତନ ହେବ ନାହିଁ । ସମ୍ମେଟିଭ ୧ ଯେତେ ସଂଖ୍ୟକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ସେତିକି ସଂଖ୍ୟକ ପରୀକ୍ଷାର୍ଥୀ ସମ୍ମେଟିଭ ୨ ପରୀକ୍ଷା ଦେବେ । ସେହିପରି ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ ଏବଂ ୨୨ ଫେବ୍ରୁଆରୀ ପର୍ଯ୍ୟନ୍ତ ଚାଲିବ । ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଫେବ୍ରୁଆରି ୨୦ରୁ ୨୫ ତାରିଖ ଯାଏ ନବମ ଶ୍ରେଣୀର ପରୀକ୍ଷା କରାଯିବା ଲାଗି ସ୍ଥିର ହୋଇଛି । ସେହି ମାସ ୨୨ରୁ ୨୮ ତାରିଖ ଯାଏ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ମୂଲ୍ୟାୟନ ଚାଲିବ । ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ୧୦ରୁ ୧୭ ତାରିଖ ମଧ୍ୟରେ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
