ମାଟ୍ରିକ୍, +୨ ପରୀକ୍ଷା ପ୍ରସ୍ତୁତି : ନକଲି ପ୍ରଶ୍ନପତ୍ର, ଗୁଜବକାରୀଙ୍କ ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ସମୁଦାୟ ପ୍ରକ୍ରିୟାକୁ ପୂର୍ଣ୍ଣ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ଚଳିତ ମାସରୁ ମାଟ୍ରିକ୍ ଏବଂ +୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସୋସିଆଲ୍ ମିଡ଼ିଆ ମାଧ୍ୟମରେ ରାତାରାତି ଧନୀହେବା ପାଇଁ ନକଲି ପ୍ରଶ୍ନପତ୍ର ସଂଚାର କରୁଥିବା ବ୍ୟକ୍ତି ଏବଂ ପ୍ରଶ୍ନପତ୍ର ବା ଉତର ଖାତା ଆଦି ବିଷୟରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷଣ ନଜର ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଏସ୍.ପି.ମାନଙ୍କୁ ପରାମର୍ଶ ଦେଇଥିଲେ । ଏପରି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କୁ ଠାବ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ନୋଡାଲ୍ ସେଂଟରରେ ସିସିଟିଭି ନିରୀକ୍ଷଣ ସହ କଡ଼ା ନିରାପତା ବ୍ୟବସ୍ଥା କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ପ୍ରକ୍ରିୟା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍.ପି.ମାନେ ଭିଡ଼ିଓ କନ୍େଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ । ପ୍ରଶ୍ନପତ୍ର ନୋଡାଲ୍ ସେଂଟରେ ସୁରକ୍ଷିତ ରଖିବାଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଓ ପରୀକ୍ଷା ଖାତା ପରୀକ୍ଷା କେନ୍ଦ୍ରରେ ପହଂଚାଇବା, କେନ୍ଦ୍ରରେ ପରୀକ୍ଷା ସଂଚାଳନ, ଉତର ଖାତା ଗୁଡିକୁ ମୂଲ୍ୟାୟନ କେନ୍ଦ୍ରକୁ ପରିବହନ, ଏବଂ ମୂଲ୍ୟାୟନ ଆଦି ସମସ୍ତ ପର୍ଯ୍ୟାୟକୁ ଶୃଙ୍ଖଳିତ କରିବା ନିମନ୍ତେ ପୂର୍ଣ୍ଣ ସହଯୋଗ ଓ ସାହାଯ୍ୟ ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଏବଂ ଏସ୍.ପି.ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିଜ ଜିଲ୍ଲାର ସମସ୍ତ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ କେତେକ କ୍ଲଷ୍ଟରରେ ସଂଗଠିତ କରି ଜଣେ ଜଣେ ଦାୟିତ୍ୱ ସଂପନ୍ନ ଅଧିକାରୀଙ୍କୁ ପ୍ରତି ସେକ୍ଟରରେ ସମୁଦାୟ ପରୀକ୍ଷା ପରିଚାଳନାରେ ଭାଗ ନେବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ପରୀକ୍ଷାଗତ ଆଇନ୍ ଶୃଙ୍ଖଳା ନିମନ୍ତେ ପ୍ରତି ସେକ୍ଟରୱାରୀ ଆବଶ୍ୟକୀୟ ପୋଲିସ ଏବଂ ଗାଡି ଆଦି ମୁତୟନ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଏସ୍.ପି.ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଉଲ୍ଲେଖନୀୟ ଯେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହୋଇ ମେ ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି +୨ ପରୀକ୍ଷା ଏପ୍ରିଲ୍ ୨୮ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଚଳିତ ବର୍ଷ ୫,୮୫,୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରୁ ୫,୭୧,୯୦୯ ଜଣ ହାଇସ୍କୁଲ, ୪,୪୪୩ ଜଣ ମଧ୍ୟମା ଏବଂ ୯,୩୭୮ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ । ମାଟ୍ରିକ୍ ପରୀକ୍ଷା ପାଇଁ ସମୁଦାୟ ୩୫୪୦ ଟି କେନ୍ଦ୍ର ଏବଂ ୩୧୫ ଟି ନୋଡ଼ାଲ୍ କେନ୍ଦ୍ର କରାଯାଇଛି । ସେହିପରି ୩,୨୧,୫୦୮ ଜଣ ପରୀକ୍ଷାର୍ଥୀ ଉଚ୍ଚ ମାଧ୍ୟମିକ (+୨) ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରୁ ୨,୧୩,୪୩୨ ଜଣ କଳା, ୭୮,୦୭୭ ଜଣ ବିଜ୍ଞାନ, ୨୪,୧୩୬ ଜଣ ବାଣିଜ୍ୟ ଏବଂ ୫,୮୬୩ ଜଣ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ ଅଟନ୍ତି । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବାକୁଥିବା ଏହି ପରୀକ୍ଷା ନିମନ୍ତେ ୧,୧୩୩ ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ ଟି ପରୀକ୍ଷା ପରିଚାଳନା ହବ୍ (ନୋଡାଲ୍ ସେଂଟର) କରାଯାଇଛି ।
ମୁଖ୍ୟତଃ ଛାତ୍ରଛାତ୍ରୀମାନେ ନିଜ ନିଜ ବିଦ୍ୟାଳୟ ବା ନିକଟତମ ବିଦ୍ୟାଳୟରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ କହିଥିଲେ । ଇତି ମଧ୍ୟରେ ନୋଡ଼ାଲ୍ ସେଂଟରମାନଙ୍କୁ ପ୍ରଶ୍ନ ଓ ଉତରଖାତା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ପରୀକ୍ଷା କେନ୍ଦ୍ରରେ ଯେପରି ଛାତ୍ରଛାତ୍ରୀମାନେ ସୁବିଧାରେ ପରୀକ୍ଷା ଦେଇପାରିବେ ସେଥିପାଇଁ ଆବଶ୍ୟକୀୟ ଆୟୋଜନ କରାଯାଉଛି । ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର.କେ. ଶର୍ମା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଦେର ଅଧ୍ୟକ୍ଷ ସତ୍ୟରଂଜନ ସାହୁ, ଓଶା ମାଧ୍ୟମିକ ପରିଷଦ ସଭାପତି ରମାଶିଷ ହଜରାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
