ବନ୍ଦ ରହିବ ମାର୍କେଟ୍ ବିଲ୍ଡିଂ, ଉଠା ଦୋକାନୀଙ୍କୁ ନ ଉଠାଇବା ଯାଏ ଧାରଣା
- କମିସନର ଓ ମେୟରଙ୍କ ଘର ଦୁଆରେ ଧାରଣା ଦେବେ ସ୍ଥାୟୀ ଦୋକାନୀ
ଭୁବନେଶ୍ୱର : ପୁଣି ବନ୍ଦ ହେବ ମାର୍କେଟ ବିଲ୍ଡିଂ। ଉଠା ଦୋକାନୀ ଓ ମାର୍କେଟ ଆସୋସେସନର ବିବାଦ ସମାଧାନ ନହେଲେ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ସହ ମେୟର ଓ କମିଶନରଙ୍କ ଘର ଆଗରେ ସପରିବାରେ ଧାରଣା ଦେବାକୁ ଚେତାବନୀ ଦେଲା ମାର୍କେଟ ଆସୋସେସନ । ସେଣ୍ଟ୍ରାଲ ମାର୍କେଟ ଆସୋସିଏସନପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଯଦି ୩ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହୁଏ ତେବେ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ସହ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ ।
ମାର୍କେଟ ଆସୋସିଏସନ ଏହି ଅଭିଯୋଗ କରିଛି ଯେ ଜବରଦଖଲକାରୀଙ୍କ କବଳରେ ୟୁନିଟ ୨ ମାର୍କେଟ ବିଲଡିଂ ରହିଛି । ଦୀର୍ଘ ଦିନ ଧରି ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ହୋଇଆସିଥିବା ବେଳେ ଏହାର ସମାଧାନ ହୋଇପାରୁନାହିଁ । ଯେଉଁଥିପାଇଁ ବିଏମସିକୁ ସମ୍ପୂର୍ଣ୍ଣ ଦୋଷ ଦେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ କର୍ମକର୍ତ୍ତା । ଉଠା ଦୋକାନୀଙ୍କୁ ମାର୍କେଟ ବିଲଡିଂରେ ବସେଇ ବିଏମସି କର୍ତ୍ତୃପକ୍ଷ ମାଲେମାଲ ହେଉଛନ୍ତି । ତେବେ ଉଠାଦୋକାନୀ ମାର୍କେଟ ବିଲଡିଂରେ ବସିବା ଫଳରେ ସୌନ୍ଦର୍ଯ୍ୟ ହାନି ହେଉଥିବା ବେଳେ ଜନସାଧାରଣ ଜିନିଷ କିଣିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଗତ ବର୍ଷ ଏହି ପରି ଅନେକ ଥର ମାର୍କେଟ ଆସୋସିଏସନ୍ ଧମକ ଦେଇ କିଛି ଦିନ ଲେଖାଏଁ ପାଇଁ ମାର୍କେଟ ଵିଲ୍ଡିଂ ବନ୍ଦ ରଖିଥାନ୍ତି। ପୁଣି ଦାବି ବିଷୟରେ ଆଲୋଚନା ହୋଇ ବିବାଦ ସମାଧାନ ହେଇଥାଏ। ଗତ ଏପ୍ରିଲ ମାସରେ ମଧ୍ୟ ଏହି ପରି ବିବାଦ ଦେଖିବାକୁ ମିଳିଥିଲା।
ଅଭିଯୋଗ ମୁତାବକ, ଏଠାରେ ଏବେ ପ୍ରାୟ ୨୦୦ ଉଠାଦୋକାନୀ ବସୁଥିବା ବେଳେ ଏଠାରେ ୩୫୦ ଜଣଙ୍କୁ ବସାଇବା ପାଇଁ ମସୁଧା ହୋଇଛି। ବିଏମ୍ସି ଅଧିକାରୀ ଏହି ମସୁଧାରେ ସାମିଲ ହୋଇଛନ୍ତି। ବ୍ୟବସାୟୀଙ୍କଠାରୁ ଚାନ୍ଦା ନେଇ ସେମାନଙ୍କୁ ବସିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି। ବିଏମ୍ସିର ଅଧିକାରୀ ସମ୍ପୃକ୍ତ ନଥିଲେ ବାରମ୍ବାର ଅଭିଯୋଗ ସତ୍ତ୍ବେ କାହିଁକି ଉଚ୍ଛେଦ ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। କେତେକ ଦୋକାନ ଉଚ୍ଛେଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ଆଦେଶ ରହିଥିବା ବିଏମ୍ସି କହୁଛି। ହେଲେ ଯେଉଁ ଆଦେଶ ହୋଇଛି ସେଥିରେ କୌଣସି ପ୍ଲଟ୍ ନମ୍ବର ନାହିଁ। ଅନେକ ଜାଗାରେ ପ୍ଲଟ୍ ନମ୍ବର ଥାଇ ଉଚ୍ଛେଦ ନ କରିବାକୁ ଆଦେଶ ହୋଇଥିଲେ ମଧ୍ୟ ବିଏମ୍ସି ଉଚ୍ଛେଦ କରି ପକାଉଥିବା ପ୍ରମାଣ ରହିଛି। କିନ୍ତୁ ଏଠି କାହିଁକି ନୁହେଁ? କାହିଁକି ଅଧିକାରୀମାନେ ଉଚ୍ଛେଦ ପାଇଁ ପଛଘୁଞ୍ଚା ଦେଉଛନ୍ତି? ମାର୍କେଟ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଭାବେ ଉଠାଦୋକାନୀ ମୁକ୍ତ କରିବାକୁ ଆସୋସିଏସନ୍ ଦାବି କରିଛି। ପ୍ଲଟ୍ ନମ୍ବର ୧୩୧, ୧୪୩, ୧୪୬ ଓ ୧୧୮୬ରେ ଏହି ଜବରଦଖଲ ରହିଛି।
ଜିଏ ବିଭାଗର ଏହି ୪ ପ୍ଲଟ୍ର ପ୍ରାୟ ୧.୨ ଏକର ଜାଗା ଜବରଦଖଲରେ ରହିଛି। ଫଳରେ ଭୟଙ୍କର ପରିସ୍ଥିତି ଉପୁଜୁଛି ଓ ବ୍ୟବସାୟ ବାଧାପ୍ରାପ୍ତ ହେଉଛି। କେବଳ ବେପାର ମାଡ଼ ଖାଉ ନାହିଁ ବରଂ ଏହି ଉଠାଦୋକାନୀମାନେ ମାର୍କେଟ ବିଲ୍ଡିଂରେ ଏଣେତେଣେ ଆବର୍ଜନା ଫିଙ୍ଗୁଛନ୍ତି। ଏଥିପାଇଁ ବିଏମ୍ସି ସ୍ଥାୟୀ ବ୍ୟବସାୟୀଙ୍କୁ ଧମକ ଦେଉଛି। ଏହା କି ପ୍ରକାରର ନ୍ୟାୟ ବୋଲି ଆସୋସିଏସନର ଯୁଗ୍ମ ସମ୍ପାଦକ ରଣଜିତ୍ କୁମାର ମହାନ୍ତି ପ୍ରଶ୍ନ କରିଛନ୍ତି। ଏଭଳି ସମସ୍ୟା ଯୋଗୁ ଜୁଲାଇ ପହିଲାରୁ ଏଠାରୁ ଅଳିଆ ଉଠୁନଥିଲା। ବିବାଦ ସମାଧାନ ନ ହେବା ଯାଏ ମାର୍କେଟରୁ ବର୍ଜ୍ୟ ଉଠାଇବା ବ୍ୟବସାୟୀ ବନ୍ଦ କରିଦେଇଥିଲେ। ଗତ ୫ ତାରିଖ ଦିନ ସଂଘକୁ ଡାକି ବିଏମ୍ସି ଧମକ ଦେଇଥିଲା। ୨ ଦିନ ମଧ୍ୟରେ ଏହି ଉଠାଦୋକାନୀଙ୍କୁ ହଟାଇବାକୁ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏ ଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି।
