ରାୟଗଡାରେ ମାଓ ବ୍ୟାନର, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ
- ବକ୍ସାଇଟ ଖଣିକୁ ଘରୋଇ କମ୍ପାନୀ ହାତକୁ ଟେକିଦେବା ଓ ନୂତନ ସିଆରପିଏଫ୍ କ୍ୟାମ୍ପକୁ ବିରୋଧ
ରାୟଗଡା : ରାୟଗଡା ଜିଲା ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁର ଓ ଥୁଆପାଡି ରାସ୍ତାରେ ମାଓ ବ୍ୟାନର ଲାଗିଥିବାର ଦେଖିବାକୁ ମିଳିଛି । ଗତକାଲି ମଧ୍ୟ ରାତ୍ରିରେ ଏହି ପୋଷ୍ଟର ଲାଗିଥିବାବେଳେ ଏହି ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖାଦେଇଛି । ବର୍ତ୍ତମାନ ସୁଦ୍ଧା ପୋଲିସ ପୋଷ୍ଟର ଏବଂ ବ୍ୟାନର ଉଦ୍ଧାର କରିନଥିବା ଜଣାପଡିଛି ।
ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳି ଡିଭିଜିଲାନ କମିଟି ପକ୍ଷରୁ ଏହି ପୋଷ୍ଟର ମରାଯାଇଛି । ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, କଟକ ଡଙ୍ଗରରେ ଥିବା ବକ୍ସାଇଟ ଖଣିକୁ ସରକାର ଘରୋଇ କମ୍ପାନୀ ହାତକୁ ଟେକିଦେବା ପାଇଁ ଯୋଜନା କରୁଛନ୍ତି । ସେହିପରି ଜଗଦଲପୁର ନିକଟରେ ନୂତନ ଭାବେ ସିଆରପିଏଫ୍ କ୍ୟାମ୍ପକୁ ମଧ୍ୟ ବିରୋଧ କରାଯାଇଛି । ଏହି ବ୍ୟାନରକୁ ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳି ଡିଭିଜିନାଲ କମିଟି ତରଫରୁ ଲଗାଯାଇଥିବା ଉଲ୍ଲେଖ ରହିଛି । ସୂଚନା ଯେ, ୨ ବର୍ଷ ତଳେ ଶରଧାପୁର ଠାରୁ ଥୁଆପାଡିକୁ ସଂଯୋଗ କରୁଥିବା ରାସ୍ତା କାମ ବେଳେ ମାଓବାଦୀ ମାନେ ଜେସିବି, ଟ୍ରାକ୍ଟର , ହିଟାଚି ପୋଡି ଦେଇଥିଲେ । ସେହି କଟକ ଡଙ୍ଗରରେ ଥିବା ବକ୍ସାଇଟ ଖଣିକୁ ଦିଆଯିବ ନାହିଁ ବୋଲି ପୋଷ୍ଟର ମାଧ୍ୟମରେ ଉଲେଖ କରିଥିଲେ । ଆଉ ଏବେ ପୁଣି ଥରେ ଏହାକୁ ବିରୋଧ କରି ପୋଷ୍ଟର ଲଗାଇଛନ୍ତି ମାଓବାଦୀ ।
