ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ କରାଯିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବିଶିଷ୍ଟ ସମାଜସେବୀ ତଥା ଯଶସ୍ୱୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୁରୀ ସ୍ୱର୍ଗଦ୍ୱାର ଠାରେ ସ୍ବର୍ଗତ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ଆଜି ଅପରାହ୍ନରେ ସଂପନ୍ନ କରାଯିବ ବୋଲି ଜଣାଯାଇଛି।
ସୂଚନା ଯେ, ଶନିବାର ସନ୍ଧ୍ୟାରେ ପ୍ରଖ୍ୟାତ ସାହିତ୍ୟିକ, କବୟିତ୍ରୀ, ସାମ୍ବାଦିକ, ଶିକ୍ଷାବିତ ତଥା ଦୈନିକ ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡ. ମନୋରମା ମହାପାତ୍ର (୮୭)ଙ୍କର କଟକରେ ତାଙ୍କର ଦେହାନ୍ତ ହୋଇଥିଲା । ଶନିବାର ଅପରାହ୍ନ ୫ଟା ୪୫ ସମୟରେ ସେ ଏସସିବି ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଶନିବାର ଅପରାହ୍ଣରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏସ୍ସିବି ମେଡିକାଲ୍ କାଜୁଆଲ୍ଟିକୁ ଅଣାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା । ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ବ୍ୟକ୍ତିଗତ ସହାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ପରଲୋକ ପରେ ତାଙ୍କ ମରଶରୀରକୁ କନିକା ଛକ ସ୍ଥିତ ବାସଭବନରେ ରଖାଯାଇଛି। ତାଙ୍କ ପୁଅ ଓ ଝିଅମାନେ ବିଦେଶରେ ରହୁଛନ୍ତି। ସେମାନେ ଆସିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।
