ମନୀଷ ଅନୁରାଗ ମୃତ୍ୟୁ ମିଷ୍ଟ୍ରି : ପୋଲିସକୁ ବଡ଼ ପ୍ରମାଣ, ସାଙ୍ଗମାନେ ହିଁ ହତ୍ୟାକାରୀ !
ଭୁବନେଶ୍ୱର : ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ପୋଲିସକୁ ବଡ଼ ପ୍ରମାଣ । ଆତ୍ମହତ୍ୟା କରିନାହାନ୍ତି ମନୀଷ ଅନୁରାଗ । ଆତ୍ମହତ୍ୟା କରିନଥିବା ନେଇ ପୋଲିସ ଜାଣିପାରିଛି । ମନୀଷଙ୍କୁ ହତ୍ୟା କରାଯାଇଥିବା ପୋଲିସ ପ୍ରମାଣ ପାଇଥିବାର ସୂତ୍ରରୁ ଜଣାପଡ଼ିଛି । ସିସିଟିଭିରେ ଅଭିଯୁକ୍ତଙ୍କ ଗତିବିଧିରୁ ମିଳିଛି ସୁରାକ । ହତ୍ୟାକାଣ୍ଡରେ ମନୀଷ ସାଙ୍ଗମାନେ ଅଛନ୍ତି ସାମିଲ୍ । ଏନେଇ ଖୁବ୍ଶୀଘ୍ର ପୋଲିସ ପ୍ରେସମିଟ୍ କରି ଦେଇପାରେ ବୋଲି ସୂଚନା ମିଳିଛି ।
ଗତ ମଙ୍ଗଳବାର ମନୀଷ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା । ଏ ସମ୍ପର୍କରେ ଭୁବନେଶ୍ୱର ଏମସ୍ ପିଆରଓ ପ୍ରଭାସ ତ୍ରିପାଠୀ ସୂଚନା ଦେଇ କହିଥିଲେ ଯେ, ମନୀଷଙ୍କ ଆହୁରି ରିପୋର୍ଟ ଆସିବାକୁ ବାକି ଅଛି । ପାକସ୍ଥଳୀରେ ହଜମ ହୋଇନଥିବା ଖାଦ୍ୟକୁ ପରୀକ୍ଷା ପାଇଁ ପଠାଯାଇଛି । ଡାଏଟମ୍ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ମନୀଷଙ୍କ ପାଣିରେ ବୁଡ଼ି ନା ତା ପୂର୍ବରୁ ଶ୍ୱାସରୁଦ୍ଧ ହୋଇଛି ତାହାର ପରୀକ୍ଷା କରାଯିବ । ମନୀଷଙ୍କ ଶରୀରରେ ବାହାରକୁ ଦେଖାଗଲା ଭଳି କୌଣସି କ୍ଷତଚିହ୍ନ ନାହିଁ ବୋଲି ସେ କହିଛନ୍ତି । ଏହା ଏକ ହତ୍ୟାକାଣ୍ଡ କିମ୍ବା ଏହା ପଛରେ ଆଉ କଣ କାରଣ ରହିଛି ତାହା ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ । ଘଟଣାରେ ୩ଟି ଦିଗକୁ ନେଇ ପୋଲିସ ତଦନ୍ତ କରୁଛି । ପୋଷ୍ଟମର୍ଟମ ପ୍ରାଥମିକ ରିପୋର୍ଟରୁ ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ । ସୂଚନା ଯେ, ମୃତ୍ୟୁ ପୂର୍ବରୁ ଗୁଡୁ ହୋଟେଲ୍ ସାଉଥ୍ ସିଟି ବାରକୁ ଯାଇଥିଲେ ବୋଲି ଜଣାପଡ଼ିବା ପରେ ପୋଲିସର ତଦନ୍ତ ଏହାରି ଉପରେ ଫୋକସ୍ କରିଛି । ବାର୍ କର୍ମଚାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମନୀଷ ରାତି ପ୍ରାୟ ୧୨ଟା ପରେ କିଛି ଯୁବକଙ୍କ ସହ ହୋଟେଲକୁ ଆସିଥିଲେ । ସେଠାରେ ସବୁ କିଛି ଠିକଠାକ୍ ଥିଲା । ଏହାପରେ ରାତି ପ୍ରାୟ ୨ଟା ୩୦ ବେଳକୁ ସେମାନେ ହୋଟେଲରୁ ଚାଲି ଯାଇଥିଲେ । ତେଣୁ ହୋଟେଲରୁ ଯିବା ପରେ କ’ଣ ହେଲା ଏବଂ ସେଠାରେ କିଏ କିଏ ଥିଲେ; ସେସବୁର ପୂରା ତଥ୍ୟ ପୋଲିସ ଖୋଜୁଛି । ହୋଟେଲର ସିସି କ୍ୟାମେରା ହାର୍ଡଡିସ୍କ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜବତ ହୋଇଛି । ରବିବାର ମନୀଷଙ୍କ ମୃତଦେହ ପାତ୍ରପଡ଼ାର ଏକ ପୋଖରୀରୁ ମିଳିଥିଲା । ଶସନିବାର ରାତିରୁ ସେ ନିଖୋଜ ଥିଲେ । ଭୋଜି କରିବାକୁ ଡାକି ନେଇ ମନୀଷଙ୍କୁ ତାଙ୍କର ସାଙ୍ଗମାନେ ହତ୍ୟା କରିଥିବା ବାପା ନବୀନ ଦାସ ଅଭିଯୋଗ କରିଥିଲେ ।
