ଅତି ଭୀଷଣ ବାତ୍ୟାର ରୂପ ନେବ ‘ମାଣ୍ଡୋସ୍’ ! ଆଜି ତାମିଲନାଡୁ-ପୁଡ୍ଡୁଚେରୀ କରିବ ଅତିକ୍ରମ
ନୂଆଦିଲ୍ଲୀ : ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମାଣ୍ଡୋସ୍ କ୍ରମଶଃ ଅଧିକ ଘନିଭୂତ ହୋଇ ଆସନ୍ତା ୬ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାର ରୂପ ନେଇ ପାରେ। ବର୍ତ୍ତମାନ ଏହି ସିଷ୍ଟମଟି ପୁଡ଼ୁରେରୀରେ କରାଇକାଲ ଠାରୁ ୨୭୦ କିମି ଦୂରରେ କେନ୍ଦ୍ରିତ ଅଛି । ଆଜି ମଧ୍ୟରାତ୍ର ସୁଦ୍ଧା ଘଣ୍ଟା ପ୍ରତି ୬୫ରୁ ୭୫ କିଲୋମିଟର୍ ବତାସ ସହିତ ପୁଡ୍ଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟ ଦେଇ ଉତ୍ତର ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ତତ୍ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ବାତ୍ୟା ପାଇଁ ଆନ୍ଧ୍ର , ତାମିଲନାଡ଼ୁ ଏବଂ ପୁଡ଼ୁଚେରୀରେ ହାଇ ଆଲର୍ଟ ଜାରି କରାଯାଇଛି।
ସୂଚନା ଅନୁସାରେ, ଆଗାମୀ ୬ ଘଣ୍ଟା ଧରି ଭୀଷଣ ସାମୁଦ୍ରିକ ବାତ୍ୟା ମ୍ୟାଣ୍ଡସ୍ ତା’ର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି। ତା’ପରେ ଏହା କ୍ରମଶଃ ଦୁର୍ବଳ ହୋଇ ସାମାନ୍ୟ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ।ବାତ୍ୟା ପ୍ରକୋପରେ ବର୍ଷା ହେବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ‘ଅରେଞ୍ଜ୍ ଆଲର୍ଟ’ ଜାରି କରିଛି। ‘ଏନ୍ଡିଆର୍ଏଫ୍’ ଟିମ୍କୁ ମଧ୍ୟ ସଜାଗ ରଖାଯାଇଛି। ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଆଜି ପୁଡ୍ଡୁଚେରୀ ଓ କାରଈକାଲରେ ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରଖାଯାଇଛି। ସଦ୍ୟତମ ସୂଚନା ଅନୁସାରେ, ତାମିଲନାଡୁର ତୁତୁକୁଡ଼ି, ତେନି ଏବଂ ସିରୁମଲାଇରେ ବି ବର୍ଷାଜନିତ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।
ମୁକାବିଲା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନଡିଆରଏଫ ଏବଂ ସେନା ସତର୍କ ଅଛନ୍ତି। ବାତ୍ୟା ପାଇଁ ପୁଡ଼ୁଚେରୀରେ ଶୁକ୍ରବାର ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି। ଦକ୍ଷିଣ ଭାରତର କିଛି ସ୍ଥାନରେ ପାଗ ପରିବର୍ତନ ହୋଇ ବର୍ଷା ହେବାରେ ଲାଗିଛି। ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଭାରତର କିଛି ସ୍ଥାନ ପାଇଁ ଆଲର୍ଟ ଜାରି କରାଯାଇଛି । ପୁଡୁଚେରୀ ଓ ଶ୍ରୀହରିକୋଟା ଦେଇ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୦ କି.ମି. ରହିବ। ଆଜି ରାତି ୯ଟା ମଧ୍ୟରେ ଏହା ଅତିକ୍ରମ କରିବ।
ସୂଚନା ଯେ, ଗୁରୁବାର ଦିନ ‘ଇସ୍ରୋ’ ମଧ୍ୟ ଏହି ଭୀଷଣ ସାମୁଦ୍ରିକ ବାତ୍ୟାର ଫଟୋ ସେୟାର୍ କରିଛି। ‘ଓସେନ୍ କଲର୍ ମନିଟର୍’ ଏବଂ ‘ସ୍କାଟେରୋମିଟର୍’ରୁ ପ୍ରାପ୍ତ ‘ଉଇଣ୍ଡ୍ ଭେକ୍ଟର୍ ଡାଟା’କୁ ମିଶାଇ ଉକ୍ତ ଫଟୋ ପ୍ରସ୍ତୁତ କରାଯାଇଛି। ତାମିଲନାଡୁ ସରକାର କହିଛନ୍ତି, ‘ଏନ୍ଡିଆର୍ଏଫ୍’ ଓ ‘ଷ୍ଟେଟ୍ ଫୋର୍ସ’ରୁ ପ୍ରାୟ ୪୦୦ କର୍ମଚାରୀଙ୍କୁ ନେଇ ଗଠିତ ୧୨ଟି ଟିମ୍ ୧୦ଟି ଜିଲ୍ଲାରେ ମୁତୟନ କରାଯାଇଛି।
