ମମିତା ମେହେର ହତ୍ୟା ମାମଲା; ଜେଲରେ ଆତ୍ମହତ୍ୟା କଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ
ବଲାଙ୍ଗୀର : କଳାହାଣ୍ଡିର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା। କଣ୍ଟାବାଞ୍ଝି ଜେଲରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ ଗୋବିନ୍ଦ । ଏହା ଜଣାପଡ଼ିବା ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । କଣ୍ଟାବାଞ୍ଝି ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ଗୋବିନ୍ଦ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଏଯାଏଁ ଅସ୍ପଷ୍ଟ ରହିଛି ।
ଆଜି ଜେଏମଏଫସି କୋର୍ଟରେ ଗୋବିନ୍ଦ ହାଜର ହେବାର ଥିଲା । କିନ୍ତୁ ଏହା ପୂର୍ବରୁ ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି । ତେବେ ଜେଲ ଭିତରେ ଜଣେ ବିଚାରାଧୀନ କଏଦୀ ଏଭଳି ପଦକ୍ଷେପ ଗ୍ରହଣ କରିବା ଜେଲର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋବିନ୍ଦ ଗାମୁଛା ନେଇ କେମିତି ଗଛ ପାଖକୁ ଯାଇ ଆତ୍ମହତ୍ୟା କଲେ କେମିତି, ଆତ୍ମହତ୍ୟା କରିବା ବେଳେ କେହି କ’ଣ ଦେଖି ପାରିଲେନି ବୋଲି ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ତେବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ମମିତା ମେହେର ହତ୍ୟା ମାମଲା ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାରେ ଶେଷ ହୋଇଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାରଣ ଗୋବିନ୍ଦ ହିଁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ।
ସୂଚନା ଯେ, ଗତ ଅକ୍ଟୋବର ୮ତାରିଖରେ ମହାଲିଙ୍ଗ ସ୍ଥିତ ସନ୍ସାଇନ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ହୋଇଯାଇଥିଲେ । ଅନେକ ବାଦବିବାଦ ପରେ ଅକ୍ଟୋବର ୧୩ତାରିଖରେ ସିନ୍ଧେକଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା । ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଘରୁ ଥାନାକୁ ଉଠାଇ ଆଣି ପଚରାଉଚୁରା କରିଥିଲା । ଗତ ଅକ୍ଟୋବର ୧୭ତାରିଖରେ ଅଟକ ଥିବା ଅବସ୍ଥାରେ ଗୋବିନ୍ଦ ଟିଟିଲାଗଡ଼ ପୁଲିସ ବାରାକରୁ ଚମ୍ପଟ ମାରିଥିଲା । ଏହାପରେ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ଗୋବିନ୍ଦକୁ ଖୋଜିବା ସହ ତା’ନାଁରେ ପୁରସ୍କାର ରାଶି ଘୋଷଣା କରିଥିଲା । ଅପରପକ୍ଷେ ଅକ୍ଟୋବର ୧୯ତାରିଖରେ ମହାଲିଙ୍ଗସ୍ଥିତ ନିର୍ମାଣାଧିନ ଷ୍ଟାଡ଼ିୟମ ଭିତରୁ ମମିତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଏବଂ କେତେକ ଅଧପୋଡ଼ା ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା । ଏଣେ ପୁଲିସ ଏକ ଆଖୁକିଆରୀରୁ ଗୋବିନ୍ଦକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।
