ଜାତୀୟ ସଂଗୀତକୁ ଅପମାନିତ ଅଭିଯୋଗରେ ଫସିଲେ ମମତା, ସମନ ଜାରି
ମୁମ୍ବାଇ : ପୁଣି ଅଡୁଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଜାତୀୟ ସଂଗୀତକୁ ଅପମାନିତ କରିବା ଅଭିଯୋଗରେ ଫସିଛନ୍ତି । ଏନେଇ ମୁମ୍ବାଇର ଏକ କୋର୍ଟ ତାଙ୍କୁ ସମନ ଜାରି କରିଛି । ଆସନ୍ତା ମାର୍ଚ୍ଚ ୨ରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ହୋଇଛି ।
୨୦୨୧ ଡିସେମ୍ବରରେ ମମତା ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିଲେ । ସେଠାରେ ଜାତୀୟ ସଙ୍ଗୀତ ଗାନ ସମୟରେ ଛିଡା ହୋଇନଥିବା ଅଭିଯୋଗ ହୋଇଥିଲା । ଜଣେ ମୁଖ୍ୟମନ୍ତ୍ରୀ ହୋଇ ବି ସେ ତାଙ୍କ ଡ୍ୟୁଟି ପାଳନ କରିନଥିଲେ । ତେଣୁ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର ହେବାକୁ କେହି ରୋକି ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ଏ ଘଟଣା ନେଇ ମୁମ୍ବାଇ ଭାଜପାର ବିବେକାନ୍ଦ ଗୁପ୍ତା ମମତାଙ୍କ ବିରୋଧରେ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ମାମଲା କରିଥିଲେ । ଅଭିଯୋଗକାରୀଙ୍କ ବିବୃତ୍ତି , ଡିଭିଡି ଏବଂ ୟୁଟ୍ୟୁବରେ ଥିବା ଭିଡିଓ କ୍ଲୁପକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି । ମମତା ଜାତୀୟ ସମ୍ମାନ ପ୍ରତି ଅପମାନ ନିବାରଣ ଆଇନ ୧୯୭୧ ଧାରା ୩ ଅଧୀନରେ ଦଣ୍ଡନୀୟ ଅପରାଧ କରିଥିବା ଏହି ପ୍ରମାଣିତ ବୋଲି କୋର୍ଟ ସମନ ଜାରି କରିଛନ୍ତି ।
