ମେଣ୍ଟର ଭାବେ ଭାରତୀୟ କ୍ରିକେଟ୍ ଟିମ୍କୁ ଫେରିଲେ ମାହି
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମକୁ ଦୀର୍ଘ ଦିନର ବ୍ୟବଧାନ ପରେ ଫେରିଲେ ମହେନ୍ଦ୍ର ସିଂ ଧୋନୀ । ପୁଣି ଥରେ ମେନ ଇନ ବ୍ଲୁ ସହ ନୂଆ ରୂପରେ ଯୋଡି ହେଲେ ମାହି । ଖେଳାଳି ନୁହେଁ ବରଂ ମେଣ୍ଟର ଭାବେ କମବ୍ୟାକ୍ କରିଛନ୍ତି । ଏନେଇ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଭାରତୀୟ କ୍ରିକେଟ୍ ବୋର୍ଡ ବା ବିସିସିଆଇ ଧୋନୀଙ୍କ ସହ ଟିମ୍ର କିଛି ଫଟୋ ସେୟାର କରିଛି । ଖାଲି ସେତିକି ନୁହେଁ ବୋର୍ଡ ପକ୍ଷରୁ ଏମ୍ଏସ୍ ଧୋନୀଙ୍କୁ ସ୍ୱାଗତ କରି ଏକ ଟ୍ୱିଟ୍ କରାଯାଇଛି । ସେଥିରେ ମାହିଙ୍କୁ କିଙ୍ଗ ବୋଲି ସମ୍ବୋଧନ କରାଯାଇଛି । ଗତ ବର୍ଷେ ତଳେ ସେ ଇଣ୍ଟରନ୍ୟାସନାଲ କ୍ରିକେଟ୍କୁ ବାଏ ବାୟ କରିଥିଲେ । ତେବେ ଧୋନୀ ଅଧନାୟକ ଭାବେ ଭାରତୀୟ ଟିମ୍କୁ ଦୁଇ ଥର ବିଶ୍ୱକପ୍ ଦେଇଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କୁ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଜଣେ ସର୍ବଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ । ବିସିସିଆଇ ଧୋନୀଙ୍କର ଏହି ଟ୍ୟାଲେଣ୍ଟର ଫାଇଦା ନେବା ପାଇଁ ତାଙ୍କୁ ପୁଣି ଥରେ ଭାରତୀୟ କ୍ରିକେଟ୍ ଟିମ୍ ସହ ଯୋଡ଼ିବାକୁ ଚେଷ୍ଟା କରିଛି । ଦୁଇ ଦିନ ପୂର୍ବରୁ ହିଁ ଧୋନୀ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସଙ୍କୁ ଚାମ୍ପିଅନ୍ କରାଇଛନ୍ତି ।
ଏନେଇ ଟ୍ୱିଟରେ ସେୟାର ହୋଇଥିବା ଫଟୋରେ ଦେଖିବାକୁ ମିଳିଛି ଧୋନୀ ରବିବାର ଭାରତୀୟ କ୍ରିକେଟ୍ ଟିମ୍ର କୋଚ୍ ଓ ଖେଳାଳିଙ୍କ ସହ ମଇଦାନରେ ନଜର ଆସିଥିଲେ । ବିସିସିଆଇ ପକ୍ଷରୁ ଏହି ସମୟର ଫଟୋକୁ ଟ୍ୱିଟ୍ କରାଯାଇଛି । ଆଉ ସେଥିରେ ଲେଖାଯାଇଛି ଯେ, କିଙ୍ଗଙ୍କୁ ହୃଦୟର ସହ ସ୍ୱାଗତ କରାଯାଉଛି । ମହେନ୍ଦ୍ର ସିଂହ ଧୋନୀ ଟିମ୍ ଇଣ୍ଡିଆକୁ ଏକ ନୂଆ ଭୂମିକାରେ ପ୍ରବେଶ କରିଛନ୍ତି । ଆସନ୍ତା ୨୪ ମଇଦାନକୁ ଓହ୍ଲାଇ ନିଜର ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ ।
