ମହେଶ ମଞ୍ଜରେକରଙ୍କ ପାଇଁ ବଢିଲା ଅଡ଼ୁଆ
ମୁମ୍ବାଇ : ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି। ମହେଶଙ୍କ ବିରୋଧରେ ଆଇପିସି ଏବଂ ପୋକ୍ସୋ ଆଇନର ଅଲଗା ଅଲଗା ଧାରାରେ ମାମଲା ରୁଜୁ କରାଯାଇଛି। ମରାଠୀ ଫିଲ୍ମ ‘ନାୟ ବରନ ଭାତ ଲୋଞ୍ଚା କୋନ ନାୟ କୋଞ୍ଚା’ରେ ନାବାଳକଙ୍କ ସହ ଅଶ୍ଳୀଳ ଦୃଶ୍ୟ ଦେଖାଇବା ନେଇ ଅଭିଯୋଗ ହୋଇଛି। ଯେଉଁ କାରଣରୁ ମହେଶଙ୍କ ବିରୋଧରେ ଆଇପିସି ଧାରା ୨୯୨, ୩୪, ପୋକ୍ସୋ ଧାରା ୧୪ ଏବଂ ଆଇଟି ଧାରା ୬୭ ଓ ୬୭-ବି ଆଧାରରେ ମାମଲା ରୁଜୁ କରାଯାଇଛି। କୋର୍ଟ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମହେଶଙ୍କ ଏହି ଫିଲ୍ମରେ ପିଲାମାନଙ୍କୁ ଆପତ୍ତିଜନକ ସିନର ଶୁଟ୍ କରିବା ନେଇ ଅଭିଯୋଗ କରାଯାଇଥିଲା। ଏ ନେଇ ଏକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହାର ତଦନ୍ତ କରିବାକୁ ସ୍ଥାନୀୟ ପୋଲିସ୍ ନିର୍ଦ୍ଦେଶ ଦେଇଥିଲେ। ଏହି ତାଲିକାରେ ନିର୍ଦ୍ଦେଶକ ଓ ଅଭିନେତା ମହେଶ ମଞ୍ଜରେକରଙ୍କ ନାଁ ମଧ୍ୟ ସାମିଲ୍ ଥିଲା। ମରାଠୀ ଫିଲ୍ମ ‘ନାୟ ବରନ ଭାତ ଲୋଞ୍ଚା କୋନ ନାୟ କୋଞ୍ଚା’ର ଟ୍ରେଲର୍ ରିଲିଜ୍ ହେବା ପରେ ଏହାର କଣ୍ଟେଟକୁ ନେଇ ଆପତ୍ତି ହୋଇଥିଲା। ଟ୍ରେଲରରେ ଦେଖାଯାଇଥିବା ଶିଶୁ ଓ ମହିଳାଙ୍କ ଯୌନ ଦୃଶ୍ୟକୁ ନେଇ ଖୁବ୍ ବିବାଦ ହୋଇଥିଲା। ଏ ନେଇ ଦୁଇଟି ସଂସ୍ଥା ପକ୍ଷରୁ ଅଭିଯୋଗ ହୋଇଥିଲା। ଯାହା ପରେ ମହେଶଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏପରିକି ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଦାବି କରାଯାଇଥିଲା।
