ମହାରାଷ୍ଟ୍ର ରାଜନୀତି : ଆଜି ସିନ୍ଦେ ସରକାରଙ୍କୁ ଗୃହରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବାକୁ ପଡିବ
ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜନୀତିରେ ଆଜିର ଦିନଟି ଗୁରୁତ୍ଵପୂର୍ଣ୍ଣ ରହିଛି। କେବଳ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ଏବଂ ଦେବେନ୍ଦ୍ର ଫଡନବିସ ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହେବାରେ ରାଜନୈତିକ ମହାସଂଗ୍ରାମ ଶାନ୍ତ ହୋଇ ନାହିଁ। ରବିବାର ମହାରାଷ୍ଟ୍ରରେ ଦୁଇ ଦିନିଆ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ବିଜେପି ଏବଂ ସିନ୍ଦେ ମେଣ୍ଟ ପକ୍ଷରୁ ବିଜେପି ବିଧାୟକ ରାହୁଲ ନାର୍ଭେକରଙ୍କୁ ବାଚସ୍ପତି ଚୟନ କରାଯାଇପାରେ। ଅନ୍ୟପଟେ ଶନିବାର ସନ୍ଧ୍ୟାରେ ଶିବସେନା ପକ୍ଷରୁ ଜାରି କରାଯାଇଥିବା ହ୍ଵିପ୍ ନୂତନ ଘଟଣାକୁ ଜନ୍ମ ଦେଇଛି। ଶିବସେନା ନିଜର ସମସ୍ତ ବିଧାୟକଙ୍କୁ ଏମଭିଏ ବାଚସ୍ପତି ତଥା ଶିବସେନା ବିଧାୟକ ରାଜନ ସାଲଭିଙ୍କୁ ହିଁ ଭୋଟ୍ ଦେବାକୁ ଆଦେଶ ଦେଇଛି।
ମହାରାଷ୍ଟ୍ର ରାଜନୀତିରେ ରୋମାଞ୍ଚ ଏବେ ମଧ୍ୟ ଜାରି ରହିଛି। ରବିବାର ମହାରାଷ୍ଟ୍ର ବିଧାନସଭାରେ ଆରମ୍ଭ ହେଉଥିବା ଦୁଇ ଦିନିଆ ବିଧାନସଭା ଅଧିବେଶନରେ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ବିଦ୍ରୋହୀ ବିଧାୟକଙ୍କ ଅଗ୍ନୀ ପରୀକ୍ଷା ରହିଛି। ସିନ୍ଦେ ସରକାରଙ୍କୁ ଗୃହରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବାକୁ ପଡିବ। ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ ପରେ ସିନ୍ଦେ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ତେବେ ଏହି ସବୁ ଘଟଣାକ୍ରମ ଉପରେ ଶିବସେନାର ନଜର ରହିଛି। ଶିବସେନା ଏବେ ମଧ୍ୟ ଉଦ୍ଧବ ଠାକରେଙ୍କ, ଏଥିରେ କୌଣସି ସନ୍ଦେହ ନାହିଁ। ଶିବସେନା ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ନୂତନ ଆଦେଶ ଜାରି କରିଛନ୍ତି। ହ୍ଵିପରେ ସେ ଶିବସେନାର ସମସ୍ତ ବିଧାୟକଙ୍କୁ ଆସନ୍ତାକାଲି ଗୃହରେ ଉପସ୍ଥିତ ରହିବା ଏବଂ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ଶିବସେନା ପ୍ରାର୍ଥୀରାଜନ ସାଲଭିଙ୍କ ପକ୍ଷରେ ମତଦାନ କରିବାକୁ କୁହାଯାଇଛି। ବିଦ୍ରୋହୀ ବିଧାୟକ କହି ସାରିଛନ୍ତି ଯେ, ଶିବସେନାରେ ବହୁମତ ସେମାନଙ୍କ ନିକଟରେ ରହିଛି। ଏଥିପାଇଁ ଉଦ୍ଧବ ଠାକରେଙ୍କ ପକ୍ଷରୁ ଜାରି ହ୍ଵିପ୍ର କୌଣସି ମୂଲ୍ୟ ନାହିଁ।
