ଶ୍ରୀକ୍ଷେତ୍ର ଭଉଁରୀ ଯାତରେ ୨୧ ଘେରା ଚାପ ଖେଳିଲେ ମହାପ୍ରଭୁ
ପୁରୀ : ଆଜି ଅନୁଷ୍ଠିତ ହୋଇଛି ଶ୍ରୀକ୍ଷେତ୍ର ଭଉଁରୀ । ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ନୌକା ବିହାର କରିଥିଲେ । ଅକ୍ଷୟତୃତୀୟା ଠାରୁ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଶ୍ରୀଦେବୀ ଓ ପାଲିଙ୍କିରେ ରାମକୃଷ୍ଣଙ୍କ ସହ ବିମାନରେ ପଞ୍ଛ ମହାଦେବ ପୁଷ୍କରଣୀକୁ ବିଜେ କରିଥିଲେ । ଶୀତଳତା ପାଇଁ ମହାପ୍ରଭୁ ଚନ୍ଦନକୁଣ୍ଡରେ ବିଜେ କରିଥିଲେ । ଭଉଁରୀ ଯାତ୍ରା ପାଇଁ ପୁଷ୍କରିଣୀ ଚାରିପଟ ଉଜ୍ୱଳ ଆଲୋକରେ ସଜେଇ ହୋଇଥିଲା । ବିଭିନ୍ନ ପସରା ଓ ଦୋକାନରେ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । କେତେକ ଭକ୍ତ ପ୍ରତିଦିନ ପ୍ରଭୁଙ୍କ ଚାପ ଦେଖୁଥିବା ବେଳେ ଆଜି ଭୁଉଁରୀ ତିଥିରେ ୨୧ ଦିନର ଚାପକୁ ଦର୍ଶନ କରିବା ପାଇଁ ଭକ୍ତ ଗହଳି ଲାଗିଥିଲା । ମହାପ୍ରଭୁଙ୍କ ନୌକା ବିହାର ଦର୍ଶନ କଲେ ଜୀବନର ଧାର୍ମିକ ନୌକା ସଠିକ୍ ଭାବେ ଚାଲିବ ବୋଲି ବିଶ୍ୱାସ ରହିଛି । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଉଁରୀ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଅନେକ ନବଦମ୍ପତି କୂଳରେବସି ମହାପ୍ରଭୁଙ୍କ ନୌକା ବିହାର ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା ।
