କୋଭିଡ କଟକଣାରେ ଖୋଲିଲା ମା’ ଶାରଳା ମନ୍ଦିର
ଜଗତସିଂହପୁର : ଦୀର୍ଘଦିନ ପରେ କୋଭିଡ କଟକଣା ଭିତରେ ଖୋଲିଲା ଜଗତସିଂହପୁର ଜିଲାର ଆରାଧ୍ୟ ଦେବୀ ମା’ ଶାରଳା ମନ୍ଦିର । ଧିରେ ଧିରେ କୋଭିଡ ନିୟନ୍ତ୍ରଣକୁ ଆସିବା ପରେ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କୁ ଦାୟିତ୍ୱ ଦେଇଥିଲେ । ସେପଟେ ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିବା ଫଳରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତ୍ୱ ବଢିଯାଇଥିଲା । ମା’ଙ୍କ ମନ୍ଦିର ଖୋଲିବାକୁ ନେଇ ବେଶ ଖୁସି ଅଛନ୍ତି ଶ୍ରଦ୍ଧାଳୁ ।
ଶ୍ରଦ୍ଧାଳୁମାନେ ମନ୍ଦିର ବେଢା ଭିତରେ ରହି ମା’ଙ୍କୁ ଦର୍ଶନ କରୁଛନ୍ତି । ଗର୍ଭଗୃହକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବାରଣ କରାଯାଇଛି । ଶ୍ରଦ୍ଧାଳୁମାନେ ଧାଡିରେ ରହି ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ମା’ଙ୍କୁ ଦର୍ଶନ କରିବେ । ଥଣ୍ଡା କାଶ ଆଦି ଲକ୍ଷଣ ଥିବା ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ଭୋଗ ବା ପ୍ରସାଦ ମନ୍ଦିର ଭିତରକୁ ନେବାକୁ ମଧ୍ୟ ବାରଣ କରାଯାଇଛି। ଶୁକ୍ରବାର ସକାଳୁ ମାଙ୍କ ପହଡ଼ ଖୋଲିବା ପରେ ଅବକାଶ ଓ ମଙ୍ଗଳ ଆଳତୀ ନୀତି କରାଯାଇଥିଲା । ଶ୍ରଦ୍ଧାଳୁ ମାନେ ଏହାକୁ ଆନନ୍ଦର ସହିତ ଦର୍ଶନ କରିଥିଲେ ।
