ଶସ୍ତା ହେଲା ଏଲପିଜି ସିଲିଣ୍ଡର ମୂଲ୍ୟ, ଜାଣନ୍ତୁ କେତେ କମିଲା ରେଟ୍
ନୂଆଦିଲ୍ଲୀ: ମହଙ୍ଗା ମାଡରୁ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶନିବାର ଏଲପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ହୋଇଛି। ପାରମ୍ପାରିକ ଭାବେ ମାସର ପ୍ରଥମ ଦିନରେ ସରକାରୀ ଗ୍ୟାସ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡର ମୂଲ୍ୟ ଘୋଷଣା କରିଛନ୍ତି। ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ୨୫.୫ ଟଙ୍କ୍ରା ହ୍ରାସ କରାଯାଇଛି। ଏହି ନୂଆ ମୂଲ୍ୟ ଶନିବାର ଠାରୁ ଲାଗୁହେବ। ତେବେ ଘରୋଇ ଏଲପିଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବା ସୂଚନା ମିଳିଛି।
ଶନିବାର ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି। ଏହି ସଂଶୋଧନ ପରେ ଜାତୀୟ ରାଜଧାନୀରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ୧୮୫୯ ଟଙ୍କା ହୋଇଯାଇଛି। ମୁମ୍ବାଇରେ ସିଲିଣ୍ଡର ପିଛା ୩୨ ଟଙ୍କା ୫୦ ପଇସା, କୋଲକାତାରେ ୩୬ ଟଙ୍କା ୫୦ ପଇସା କମିଛି। ଚେନ୍ନାଇରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ୩୫ ଟଙ୍କା ୫୦ ପଇସା ଶସ୍ତା ହୋଇଛି। ତେବେ ଓଏମସିଏସ ଦ୍ୱାରା ଘରୋଇ ଏଲପିଜି ମୂଲ୍ୟ ହ୍ରାସ ନେଇ କୌଣସି ସୂଚନା ଦିଆଯାଇନାହିଁ। ତେଣୁ ୧୪.୫ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ହୋଇ ନ ଥିବା ଜଣାପଡିଛି।
ଅଗଷ୍ଟ ପହିଲାରେ ୧୪.୫ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୟୁନିଟ୍ ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ପୂର୍ବରୁ ଘରୋଇ ସିଲିଣ୍ଡରର ମୂଲ୍ୟ ମେ ୧୯ରେ ସଂଶୋଧିତ ହୋଇଥିଲା। ଜାତୀୟ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଘରୋଇ ଏଲପିଜି ୟୁନିଟ୍ ପିଛା ୧୦୫୩ ଟଙ୍କାରେ ବିକ୍ରି ହେଉଛି। ଏହା ବ୍ୟତୀତ କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ମଧ୍ୟ ଏହାର ମୂଲ୍ୟ ୧୦୫୦ ଉପରେ ରହିଛି। ସପଟେ ଶୁକ୍ରବାର ସିଏନଜିର ମୂଲ୍ୟ ବୃଦ୍ଧି କରାଯାଇଛି। ଫଳରେ ବିଦ୍ୟୁତ୍ ଉତ୍ପାଦନ, ସାର ତିଆରି ତଥା ଅଟୋମୋବାଇଲ୍ ଚଳାଇବା ମହଙ୍ଗା ହୋଇଯାଇଛି। ତୈଳ ମନ୍ତ୍ରଣାଳୟର ପିପିଏସି ଅନୁଯାୟୀ ସିଏନଜିର ମୂଲ୍ୟରେ ୪୦ ପ୍ରତିଶତ ବୃଦ୍ଧି କରାଯାଇଛି। ଅକ୍ଟୋବର ପହିଲାରୁ ବ୍ରିଟିଶ ଥର୍ମାଲ ୟୁନିଟ ପ୍ରତି ୮.୫୭ ଡଲାର ଦେବାକୁ ପଡିବ।
ସୂଚନାଯୋଗ୍ୟ, ଦେଶର ଗ୍ୟାସ୍ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି। ବାଣିଜ୍ୟିକ ଏଲପିଜି ଗ୍ୟାସ ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଇତ୍ୟାଦିରେ ବ୍ୟବହୃତ ହୁଏ। ମୂଲ୍ୟ ହ୍ରାସରୁ ଏହା ସେମାନଙ୍କୁ ଏକ ବଡ଼ ଆରାମ ଦେବ। କ୍ରମାଗତ ପଞ୍ଚମ ମାସ ହେଲା ବ୍ୟବସାୟିକ ଗ୍ୟାସର ମୂଲ୍ୟ ହ୍ରାସ ପାଇଛି। କିନ୍ତୁ ଅନ୍ୟପକ୍ଷରେ ଘରୋଇ ସିଲିଣ୍ଡର ମହଙ୍ଗା ହେବାରେ ଲାଗିଛି। ତେବେ ଭ୍ୟାଟ ଅନୁସାରେ ଦେଶର ସହର ଗୁଡିକରେ ଏଲପିଜି ସିଲିଣ୍ଡର ମୂଲ୍ୟରେ ଫରକ ଦେଖିବାକୁ ମିଳେ।
