ଆସୁଛି ଲଘୁଚାପ, ଏହି ଦିନ ଠାରୁ ଭିଜିବ ଓଡ଼ିଶା
ଭୁବନେଶ୍ୱର : ରାଜ୍ୟରେ ଏବେ ବଦଳୁଛି ପାଗ। ତାପମାତ୍ରା ଖସୁଥିବା ବେଳେ ବଢୁଛି ଶୀତ । ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଚକିତ କଲା ପରି ସୂଚନା ଦେଇଛି । ଚଳିତ ମାସରେ ଆସୁଛି ଏକ ଲଘୁଚାପ । ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୧୫ ତାରିଖରୁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କାହିଁକିନା ୧୪ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ୧୫ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ ବୋଲି କିଛି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।
ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଉତ୍ତର ଓ ପଶ୍ଚିମ ଦିଗରେ ଗତି କରିବା ପରେ ଦିଗ ବଦଳାଇ ୧୬ ସୁଧା ଉତ୍ତର ଦିଗକୁ ମୁହାଁଇପାରେ ବୋଲି ଅନୁମାନ କରାଯାଉଛି । ଯାହାର ପ୍ରଭାବରେ ୧୫ରୁ ଦକ୍ଷିଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୧୬ ତାରିଖ ରାତିରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ବିଭାଗ । ସେପଟେ ରାଜ୍ୟରେ ଏବେ ଗତ କିଛି ଦିନ ହେବ ଶୀତ ବଢିଛି । ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର ଓ ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ ହେଉଛି। ଏଥିପାଇଁ କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି।
ବିଶେଷ କରି କେତେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥିବାବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ପାରଦ ଆହୁରି ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପେଟେ, ଗତରାତିରେ କନ୍ଧମାଳ ଜିଲ୍ଲାରେ ୧୦ଡ଼ିଗ୍ରୀ ତଳକୁ ଖସିଥିଲା ପାରଦ। ଜି.ଉଦୟଗିରି ରେ ରାତ୍ରି ତାପମାତ୍ରା ୯ ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ କୋରାପୁଟରେ ୧୧.୫ ଡ଼ିଗ୍ରୀ ସେଲସିୟସ୍ , ସେମିଳିଗୁଡାରେ ୧୧.୫, ଫୁଲବାଣୀରେ ୧୨,ଦାରିଙ୍ଗବାଡିରେ ୧୨.୫ ,କିରେଇରେ ୧୩.୨, କେନ୍ଦୁଝରରେ ୧୪.୮, ଭବାନୀପାଟଣାରେ ୧୫, ହୀରାକୁଦରେ ୧୫.୧ ଓ ଝାରସୁଗୁଡାରେ ୧୫.୪ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଗତକାଲି ଭୁବନେଶ୍ୱର ଏବଂ କଟକରେ ୨୦ଡ଼ିଗ୍ରୀ ତଳକୁ ଖସିଥିଲା ପାରଦ । କଟକରେ ୧୯ ଡ଼ିଗ୍ରୀ ଏବଂ ଭୁବନେଶ୍ୱରରେ ୧୮.୫ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି।
