ସୁନା ବେଶରେ ତିନି ଠାକୁର, ରଥ ଉପରୁ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ
ପୁରୀ : ତିନି ରଥରେ ବସି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର । ମାଉସୀ ମା’ ଘରେ ପୋଡ଼ ପିଠା ଖାଇ ଫେରିବା ପରେ ଆଜି ମହଣ ମହଣ ସୁନାରେ ସୁସଜ୍ଜିତ ହୋଇଥିଲେ । ବଡ଼ଦାଣ୍ଡରେ ତିନି ରଥିରେ ତିନି ଠାକୁର ସୁନା ବେଶରେ ଦର୍ଶନ ଦେଉଛନ୍ତି । ତେବେ ସୁନାବେଶ (ବା ରାଜବେଶ ବା ବଡ଼ତଢାଉ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ ।
ସେବାୟତଙ୍କ ଦ୍ୱାରା ଶ୍ରୀମନ୍ଦିରରୁ ସୁନା ଆସିବା ପରେ ଶ୍ରୀଜୀଉଙ୍କୁ ସଜା ଯାଇଥିଲା । ସୁନାର କିରୀଟ, କୁଣ୍ଡଳ, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣରେ ମହାବାହୁ ଆଭୂଷିତ ହୋଇଛନ୍ତି। ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ଅନ୍ୟପଟେ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ସୁନାବେଶକୁ ରାଜବେଶ ବା ବଡ଼ତଢାଉ ବେଶ ମଧ୍ୟ କୁହାଯାଏ। ଏହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ। ସୁନାବେଶରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ। ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା) ଦିନ ଅନୁଷ୍ଠିତ ହୋଇଥାଏ।
