ପ୍ରଭୁ ସତ୍ୟନାରାୟଣଙ୍କ ମହାଯଜ୍ଞ ଓ ବାସନ୍ତୀପୂଜା ମହାସମାରୋହରେ ପାଳିତ
ନୀଳଗିରି : ନୀଳଗିରି ଏନ୍ଏସିର ୯ନଂ. ୱାର୍ଡ଼ ସିମୁଳିଆ ଗ୍ରାମରେ ବହୁ ପୁରାତନ ମହାପ୍ରଭୁ ସତ୍ୟନାରାୟଣଙ୍କ ମହାଯଜ୍ଞ ଓ ବାସନ୍ତୀ ପୂଜା ୭ଦିନ ବ୍ୟାପୀ ମହାସମାରୋହରେ ପାଳିତ ହୋଇଛି । ୧୯୪୫ ମସିହା ଠାରୁ ଏଠାରେ ମହାଯଜ୍ଞ ଓ ବାସନ୍ତୀ ପୂଜା ଅନୁଷ୍ଠିତ ହୋଇଆସୁଥିବା ବେଳେ ଉକ୍ତ ବର୍ଷ ଅନାବୃଷ୍ଟି ଦେଖାଯାଇଥିଲା । ଚାଷୀକୂଳ ହତାଶ ହୋଇପଡ଼ିଥିଲେ । ଶେଷରେ ରାମନବମୀ ପରେ ଗ୍ରାମବାସୀ ୭ଦିନ ବ୍ୟାପୀ ପ୍ରଭୁ ସତ୍ୟନାରାୟଣ ମହାପ୍ରଭୁଙ୍କ ମହାଯଜ୍ଞର ଆୟୋଜନ କଲା ପରେ ପ୍ରବଳ ବର୍ଷା ହେବା ଯୋଗୁଁ ଅନାବୃଷ୍ଟିରୁ ଲୋକେ ତ୍ରାହି ପାଇଥିଲେ । ସେହିଦିନ ଠାରୁ ଆଜକୁ ୭୮ବର୍ଷ ଧରି ପୂଜାର୍ଚ୍ଚନା, ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି ।
ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ମୁଖ୍ୟବକ୍ତା ଭାବେ ନୀଳଗିରି ବିଜେଡି ଏନ୍ଏସି ଅନୁସୂଚିତ ଜାତିର ସଭାପତି ଶରତ ଦାସ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସିମୁଳିଆ ଗ୍ରାମର ଏହି ପରମ୍ପରାକୁ ଭୂୟସୀ ପ୍ରଶଂସା କରିବା ସହ ଯୁବଗୋଷ୍ଠୀଙ୍କର ପ୍ରୟାସକୁ ଉଭୟ ଅତିଥି ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ବେହେରା, ରମେଶ ଷଡ଼ଙ୍ଗୀ, ରବିନ୍ଦ୍ର ମହଲ, ରାମଚନ୍ଦ୍ର ମହଲ, ପାଗୁଲୁ ବେହେରା, ରାଜେନ୍ଦ୍ର ମହଲ, ମିଟୁ ବେହେରା, ଭଗବାନ ମହଲ, ଆଲୋକ ବେହେରା, ମୁନା ମହଲ ପ୍ରମୁଖ ସହଯୋଗ କରିଥିଲେ ।
