ଶ୍ରୀମନ୍ଦିରରେ ଏହି ଦିନ ପାଳନ ହେବ ଗହ୍ମା ପୂର୍ଣ୍ଣିମା, ଜାଣନ୍ତୁ କେବେ?
ପୁରୀ : ଚଳିତ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଅନେକଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି ହୋଇଛି । ଅଧିକାଂଶ ଲୋକେ ରାକ୍ଷୀ ପୂର୍ଣ୍ଣିମା ଅଗଷ୍ଟ ୩୦ରେ କହୁଥିବା ବେଳେ ଆଉ କେତେକ ଲୋକେ ରାକ୍ଷୀ ପୂର୍ଣ୍ଣିମା ୩୧ ରେ ପଡୁଛି ବୋଲି କହୁଛନ୍ତି । କିନ୍ତୁ ଚଳିତ ଥର ଯୋଡା ଶ୍ରାବଣ କାରଣରୁ ଦୁଇ ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ ବୋଲି ଜଣାପଡିଛି। ତେବେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ଥର ଯୋଡ଼ା ଶ୍ରାବଣରେ ଦୁଇଟି ପୂର୍ଣ୍ଣିମା ରହିଛି । ଶ୍ରାବଣର ପ୍ରଥମ ପୂର୍ଣ୍ଣିମା ମଳ ମାସରେ ପଡ଼ୁଛି । ତେଣୁ ଏହାକୁ ମଳ ପୂର୍ଣ୍ଣିମା କହିବା । ତେବେ, ଏହି ପ୍ରଥମ ମଳ ପୂର୍ଣ୍ଣିମା ଅଗଷ୍ଟ ୧ରେ ପଡିଛି। ସେହିପରି, ଶ୍ରାବଣର ଦ୍ବୀତିୟ ପୂର୍ଣ୍ଣିମା ଅଗଷ୍ଟ ୩୦ ଅର୍ଥାତ୍ ବୁଧବାର ପଡୁଛି । ଏହାର ଶୁଭ ସମୟ ବୁଧବାର ସକାଳ ୧୦ଟା ୫୮ ରୁ ଆରମ୍ଭ ହୋଇ ଗୁରୁବାର ସକାଳ ୭ଟା ୫ ଯାଏଁ ରହିବ। ଏହି ସମୟରେ ଆପଣ ରାକ୍ଷୀ ପୂର୍ଣ୍ଣିମା ପାଳନ କରିପାରିବେ।
ରାଜ୍ୟରେ ବିଭିନ୍ନ ସ୍ଥାନରେ ୩୦ତାରିଖରେ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ ପାଳନ ହେବାକୁ ଥିବା ବେଳେ ଶ୍ରୀମନ୍ଦିରରେ ୩୧ ତାରିଖରେ ଗହ୍ମା ପୂର୍ଣ୍ଣମୀ ବା ବଳଭଦ୍ର ଜନ୍ମ ନୀତି ପାଳନ ହେବାକୁ ନିସ୍ପତି ହୋଇଛି । ଅର୍ଥାତ ଚଳିତ ଥର ୩୦ ବଦଳରେ ୩୧ ରେ ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣମୀ ନୀତି ପାଳନ କରାଯିବ ବୋଲି ଜଣାପଡିଛି । ଶ୍ରୀମନ୍ଦିରରେ ଭଉଣୀ ସୁଭଦ୍ରା ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧି ଥାଆନ୍ତି। ଏହି ପରମ୍ପରା କାହିଁ କେଉଁ କାଳରୁ ଶ୍ରୀମନ୍ଦିରରେ ଚାଲି ଆସିଛି।
ରକ୍ଷା ବନ୍ଧନ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ପାଟରା ବିଶୋଇ ସେବାୟତମାନେ ମହାବାହୁଙ୍କ ପାଇଁ ସ୍ବତନ୍ତ୍ର ପଟାରାକ୍ଷୀ ଓ ଗୁଆମାଳ ପ୍ରସ୍ତୁତିରେ ଲାଗିଛନ୍ତି। ଜଗନ୍ନାଥଙ୍କୁ ହଳଦିଆ, ନାଲିରଙ୍ଗର ରାକ୍ଷୀ ଓ ଗୁଆମାଳ ଲାଗି କରାଯିବ । ସେହିପରି ବଳଭଦ୍ରଙ୍କୁ ନେଳି ଓ ବାଇଗଣି ରଙ୍ଗର ରାକ୍ଷୀ ଓ ଗୁଆମାଳ ଲାଗି କରାଯିବ ବୋଲି ଜଣାପଡିଛି । କିନ୍ତୁ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଶ୍ରୀମନ୍ଦିରରେ ୩୧ରେ ରାକ୍ଷୀ ପୂର୍ଣ୍ଣିମା ପାଳନ ହେବାରୁ ଥିବା ବେଳେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିରରେ ୩୦ ତାରିଖ ଦିନ ବଳଭଦ୍ର ଜନ୍ମ ନୀତି ପାଳିତ ହେବ ବୋଲି ଜଣାପଡିଛି।
