ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡ଼ିଶାର ସବୁଠାରୁ ଦୀର୍ଘତମ ସେତୁ ଉଦଘାଟିତ
- ବଡମ୍ବା ନରସିଂହପୁରରୁ ବାଙ୍କୀ ବୈଦେଶ୍ବର ଏବଂ ମହାନଦୀରେ ସିଂହନାଥ ମନ୍ଦିରକୁ ସଂଯୋଗ କରୁଛି ଏହି ସେତୁ
- ୩.୪ କିଲୋମିଟର ଦୀର୍ଘ ଏହି ‘ଟି’ ଆକାରର ସେତୁ ପାଇଁ ବିନିଯୋଗ ହୋଇଛି ୧୧୧ କୋଟି ଟଙ୍କା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡମ୍ବା ଗୋପୀନାଥପୁର ଠାରେ ମହାନଦୀ ଉପରେ ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍ଘାଟନ କରିଛନ୍ତି। ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ ‘ଟି’ ଅକ୍ଷରୁ ସଦୃଶ । ଏହା ରାଜ୍ୟର ପ୍ରଥମ ‘ଟି’ ସେତୁ । ଏହା ସେ ଅଂଚଳବାସୀଙ୍କର ଦୀର୍ଘ ଦିନର ଦାବୀ ଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ବହୁ ଆକାକ୍ଷିତ ସେତୁର ଉଦ୍ ଘାଟନ ସେ ଅଞ୍ଚଳର ଜନତାଙ୍କ ମଧ୍ୟ ରେ ବିପୁଳ ଉତ୍ସାହ ସୃଷ୍ଟି କରିଛି ।
ଏଥିପାଇଁ ୧୧୧ କୋଟି ଟଙ୍କା ବିନିଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନୟକ ୨୦୧୪ ମସିହାରେ ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେତୁ ଉଦ୍ ଘାଟନ ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣ ଙ୍କୁ ଆପଣମାନେ ଖୁସି ତ ବୋଲି ପଚାରିଥିଲେ । ଏବଂ ଜନତା ଆନନ୍ଦ ପ୍ରକାଶ ସହ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସେତୁ ବଡମ୍ବା ନରସିଂହପୁରରୁ ବାଙ୍କୀ ବୈଦେଶ୍ବରକୁ ସଂଯୋଗ କରିବା ସହିତ ନଦୀ ଅବସ୍ଥିତ ସିଂହନାଥ ମନ୍ଦିରକୁ ମଧ୍ୟ ସଂଯୋଗ କରୁଛି। ଏହାଦ୍ବାରା ବଡମ୍ବାରୁ ବାଙ୍କୀ ବୈଦେଶ୍ବରର ଦୂରତ୍ବ ୪୫ କିଲୋମିଟର ହ୍ରାସ ପାଇବ। ନିକଟସ୍ଥ ଅଞ୍ଚଳର ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଗମନାଗମନରେ ସୁବିଧା ହେବ। ଏହି ଅଞ୍ଚଳରେ କୃଷି, ବାଣିଜ୍ୟ ଏବଂ ପର୍ଯ୍ୟଟନର ବିକାଶ ହେବ। କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଯେ, ୩.୧୩୯ କିଲୋମିଟର ଲମ୍ବର ଏହି ସେତୁକୁ ୨୦୧୪, ଫେବ୍ରୁଆରି ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ୧୩୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ବାଙ୍କୀର ବୈଦେଶ୍ବରଠାରୁ ବଡ଼ମ୍ବାର ଗୋପୀନାଥପୁରକୁ ଯୋଡ଼ିବ। ଏହି ସେତୁ ମଧ୍ୟଯୁଗୀୟ ସ୍ଥାପତ୍ୟକଳାର ନିଦର୍ଶନ ଅଷ୍ଟମ ଶତାବ୍ଦୀର ପ୍ରସିଦ୍ଧ ଶୈବପୀଠ ସିଂହନାଥ ପୀଠକୁ ବି ଯୋଡ଼ିବ। ମହାନଦୀ ଗର୍ଭରେ ଥିବା ଏହି ମନ୍ଦିର ଏଏସ୍ଆଇ ଅଧୀନରେ ରହିଛି। ପୂର୍ବରୁ ଡଙ୍ଗାରେ ପୀଠକୁ ଯିବାକୁ ପଡୁଥିବା ବେଳେ ଏବେ ଏହି ସେତୁରୁ ୨୩୬ ମିଟରର ଏକ ‘ଟି’ ବ୍ରିଜ୍ ପୀଠକୁ ଯୋଡୁଛି। ଏଭଳି ‘ଟି’ ସେତୁ ଏଯାଏ ରାଜ୍ୟରେ କୌଣସି ସ୍ଥାନରେ ନିର୍ମାଣ ହୋଇ ନଥିବା ଜଣାପଡିଛି। ଏହି ସେତୁ ନିକଟରେ ଅର୍ଥାତ୍ ବଡ଼ମ୍ବାର ଗୋପୀନାଥପୁରରେ ପର୍ଯ୍ୟଟକ ସୁବିଧା କେନ୍ଦ୍ର ପାଇଁ ଜିଲ୍ଲା ପ୍ରଶାସନ ଦୁଇ ଏକର ୩୬ ଡିସିମିଲ ସ୍ଥାନ ଯୋଗାଇ ଦେଇଥିବା ବେଳେ ଏହାର ଡିଜାଇନ୍ ମଧ୍ୟ ପ୍ରସ୍ତୁତ ସରିଛି। ଅନ୍ୟପଟେ ହଂସନାଥ ପୀଠକୁ ସଂଯୋଗ କରୁ୍ଥିବା ‘ଟି’ ସେତୁ ୨୩୬ ମିଟର ପାଇଁ ମଧ୍ୟ ପାହାଚ ଓ ବିଭିନ୍ନ କାର୍ଯ୍ୟର ଡିଜାଇନ୍ ପ୍ରସ୍ତୁତ କରାଯାଇଛି।
