ଲୋକସଭାରେ ୩ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ
ନୂଆଦିଲ୍ଲୀ : ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ । ଅଧିବେଶନର ପ୍ରଥମ ଦିନରେ କୃଷି ଆଇନ ଉଚ୍ଛେଦକୁ ଫୋକସରେ ରଖାଯାଇଥିଲା । ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଂଜନ ଚୌଧୁରୀ ଗୃହରେ ବିଲ୍ ଉପରେ ଆଲୋଚନା କରିବାକୁ ଦାବି କରିଛନ୍ତି ।
ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ଉଚ୍ଛେଦ ବିଲ୍କୁ ପାରିତ କରାଯାଇଛି। ବାଚନିକ ଭୋଟରେ ବିଲ୍ ପାରିତ ନେଇ ବାଚସ୍ପତି ଓମ୍ ବିର୍ଲା ଘୋଷଣା କରିଛନ୍ତି। ଏଥିସହ ଗୃହକୁ ମଧ୍ୟାହ୍ଣ ୨ଟା ଯାଏଁ ସ୍ଥଗିତ ରଖାଯାଇଛି। ପ୍ରବଳ ହଙ୍ଗମା ଭିତରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକସଭାରେ ଏହି ବିଲ୍ ପାସ୍ କରିଥିଲେ। ତେବେ କଂଗ୍ରେସ, ତୃଣମୂଳ ସହ ବିରୋଧୀ ଦଳ ଏହି କୃଷି ଆଇନ୍ ସମ୍ପର୍କରେ ଚର୍ଚ୍ଚା ପାଇଁ ଦାବି କରିଥିଲେ। ସେମାନଙ୍କ ଚର୍ଚ୍ଚା ଆବେଦନ ଆଗ୍ରାହ୍ୟ ହେବାରୁ ବିରୋଧୀ ଗୃହରେ ହୋ-ହଲ୍ଲା କରିଥିଲେ। ଫଳରେ ଗୃହ ଅଚଳ ହୋଇଯାଇଥିଲା। ଏପରିକି ଗାନ୍ଧିମୂର୍ତ୍ତି ତଳେ ସମସ୍ତ ବିରୋଧୀ ଏକଜୁଟ୍ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୂଚନା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁ ପର୍ବ ଦିନ ତିନି କୃଷି ଆଇନ୍ ପ୍ରତ୍ୟାହର ନେଇ ଘୋଷଣା କରିଥିଲେ। ଏଥିସହ ମୋଦି ଦେଶବାସୀଙ୍କୁ କ୍ଷମା ମାଗିଥିଲେ। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଥିଲେ। ଆସନ୍ତା ସଂସଦର ଶୀତ ଅଧିବେଶନରେ ଆଇନକୁ ପ୍ରତ୍ୟାହାର କରିବାକୁ ସବୁ ପ୍ରକାରର ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରିବୁ ବୋଲି କହିଥିଲେ। କେନ୍ଦ୍ର ସରକାର କୃଷି ଆଇନ ଆଣିଥିଲେ ମଧ୍ୟ ଦୀର୍ଘ ଗୋଟିଏ ବର୍ଷ ହେଲାଣି ଶତାଧିକ ଚାଷୀ ଏହାକୁ ବିରୋଧ କରି ବିକ୍ଷୋଭ ଜାରି ରଖିଛନ୍ତି।
