ଗ୍ରାମବାସୀଙ୍କ ଚରମ ନିଷ୍ପତ୍ତି : ପୋଲ ନାହିଁ ତ ଭୋଟ୍ ନାହିଁ
କପ୍ତିପଦା : ପୋଲ ନାହିଁ ତ ଭୋଟ୍ ନାହିଁ । ବାରମ୍ବାର ଦାବି ହୋଇଥିଲେ ସୁଦ୍ଧା କେବଳ ପ୍ରତିଶ୍ରୁତି ମିଳିଥିବା ବେଳେ ତାହା ପୂରଣ ହୋଇପାରିନାହିଁ । ଯାହାକୁ ନେଇ ଗ୍ରାମବାସୀ ନେଇଛନ୍ତି ଚରମ ନିଷ୍ପତି । ଏଭଳି ଚିତ୍ର ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍ ଦେବାନବାହାଳୀ ପଞ୍ଚାୟତର ଶିରିଆପାଳ ଗ୍ରାମରୁ ।
ସୂଚନା ଯେ, ଦେବାନବାହାଳୀ ପଞ୍ଚାୟତର ଶିରିଆପାଳ ଗ୍ରାମରେ ବସବାସ କରନ୍ତି ୬୦ରୁ ଉର୍ଦ୍ଧ୍ୱ ପରିବାର । ତେବେ ଉକ୍ତ ଅଂଚଳରେ ଡାକ୍ତରଖାନାଠାରୁ ଆରମ୍ଭ କରି ସମସ୍ତ ସୁବିଧା ରହିଥିବା ବେଳେ ଏଠାକୁ ଯିବାକୁ ହେଲେ ଗ୍ରାମବାସୀଙ୍କୁ ନଦୀ ପାର ହୋଇ ଯିବାକୁ ପଡିଥାଏ । ବର୍ଷା ଦିନ ଆସିଲେ ଏହି ରାସ୍ତାରେ ଯିବା ଅସମ୍ଭବ । ଏହି ଗ୍ରାମ ଦେଇ ପ୍ରବାହିତ ସୋନ ନଦୀରେ ପୋଲଟିଏ ନଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ସୋନ ନଦୀ ପ୍ରତିବନ୍ଧକ ସାଜିଥିବା ବେଳେ ଏହି ନଦୀ ଉପରେ ପୋଲ ନିର୍ମାଣ ନିମନ୍ତେ ବାରମ୍ବାର ଦାବି ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପୋଲଟିଏ ନିର୍ମ ।ଣ ହୋଇନାହିଁ । ପ୍ରତିଥର କେବଳ ପ୍ରତିଶ୍ରୁତି ମିଳିଥିବା ବେଳେ ପ୍ରତିଶ୍ରୁତିର ପାହାଡ ତଳେ ଗ୍ରାମବାସୀଙ୍କ ଭାଗ୍ୟ ଚାପି ହୋଇରହିଛି । ଯାହାକୁ ନେଇ ଚଳିତ ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀମାନେ ନେଇଛନ୍ତି ଚରମ ନିଷ୍ପତ୍ତି । ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ନଦୀ ଉପରେ ପୋଲ ନିର୍ମାଣ ନ କରିଲେ ଗ୍ରାମବାସୀମାନେ ଭୋଟ୍ ବର୍ଜନ କରିବେ ବୋଲି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ।
