ସାନଖେମୁଣ୍ଡି ବ୍ଲକର ଖଲିଙ୍ଗୀ ଓ ଏରେଣ୍ଡ୍ରା ଗ୍ରାମରେ ଗୃହପାଳିତ ପଶୁଙ୍କ ଠାରେ ଲିମ୍ପିଂ ଭାଇରସ୍ ଚିହ୍ନଟ, ଟୀକାଦାନ ଆରମ୍ଭ
ଗଞ୍ଜାମ : ବିଜ୍ଞାନ ଯୁଗରେ ମଧ୍ୟ ଗ୍ରାମାଚଂଳରୁ ସମ୍ପୂର୍ଣ୍ଣ ଭାବେ ଅନ୍ଧବିଶ୍ୱାସ ଦୂର ହୋଇପାରୁନି । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦେଶ ଯଥେଷ୍ଟ ଅଗ୍ରଗତି କରିଥିଲେ ସୁଦ୍ଧା ଆଜି ବି ଜନସାଧାରଣ ଚିକିତ୍ସା ପାଇଁ ଗୁଣିଗାରେଡ଼ି, ଝଡ଼ାଫୁଙ୍କା ଓ ପୂଜାପାଠର ସାହାରା ନେଉଛନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଖଲିଙ୍ଗୀ ଓ ଏରେଣ୍ଡ୍ରା ଗ୍ରାମରେ । ସେଠାରେ ଗତ କିଛି ଦିନ ହେଲା ଗୃହପାଳିତ ପଶୁଙ୍କ ଠାରେ ଲିମ୍ପିଂ ଭାଇରସ୍ ଚିହ୍ନଟ ହୋଇଛି । ଏହି ରୋଗରେ ଗାଈଗୋରୁ ମାନେ ଆକ୍ରାନ୍ତ ହୋଇ ସେମାନଙ୍କ ଶରୀରରେ ଫୋଟକା ଓ ଘା’ ମାନ ସୃଷ୍ଟି ହେଉଛି । ପରେ ଶହ ଶହ ସଂଖ୍ୟାରେ ଗାଈଗୋରୁ ଆକ୍ରାନ୍ତ ହୋଇପଡିଛନ୍ତି । ଏହାର ପ୍ରତିକାର ପାଇଁ ଉଭୟ ଗ୍ରାମର ଲୋକେ ପଶୁ ଡ଼ାକ୍ତରଙ୍କ ସହାୟତା ନେବାକୁ ଚିକିତ୍ସା କେନ୍ଦ୍ରକୁ ନଯାଇ ଆବାହମାନ କାଳରୁ ଚାଲି ଆସୁଥିବା ସନ୍ଧି ପୂଜା ଉପରେ ଭରସା କରିଛନ୍ତି । ଗାଈଗୋରୁ ମାନଙ୍କୁ ଏହି ବିପତିରୁ ରକ୍ଷା କରିବା ପାଇଁ ମା ଠାକୁରାଣୀଙ୍କ ନିକଟରରେ ପୂଜାପାଠ କରୁଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ପାଟପୁରରୁ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର ପ୍ରବୀଣ କୁମାର ସାହୁ ଓ ତାଙ୍କ ଟିମ୍ ଗ୍ରାମରେ ପହଂଚି ଗାଈଗୋରୁଙ୍କୁ ଟୀକାଦାନ ଆରମ୍ଭ କରିଛନ୍ତି । ତେବେ ତାଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ଟୀକା ନଥିବାରୁ ତୁରନ୍ତ ଅଧିକ ଟୀକା ଯୋଗାଇଦେବା ପାଇଁ ସେ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଛନ୍ତି ।
