ଉଠା ଦୋକାନୀଙ୍କ ସ୍ଥାୟୀ ଥଇଥାନ ପାଇଁ ଅତିରିକ୍ତ ଜିଲାପାଳଙ୍କୁ ଦାବୀପତ୍ର
ବାଲେଶ୍ୱର : ଆଜି ସକାଳେ ବାଲେଶ୍ୱର ମ୍ୟୁନିସିପାଲଟିର ୱାର୍ଡ଼ ନଂ ୧୩ ଓ ୧୪ ର ବିସ୍ଥାପିତ ଉଠା ଦୋକାନୀ ଭାଇମାନେ ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ମାନସ କୁମାର ଦତ୍ତଙ୍କୁ ଭେଟି ସମସ୍ୟା ବିଷୟରେ ଜଣାଇଥିଲେ । ପରେ ଶ୍ରୀ ଦତ୍ତଙ୍କ ନେତୃତ୍ୱରେ ଉଠା ଦୋକାନୀମାନେ ଓ ସଦର ଭାଜପାର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ ।
ଉକ୍ତ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ଯେ, ୧୩ ନଂ ଓ ୧୪ ନଂ. ୱାର୍ଡ଼, ଫକୀରମୋହନ କଲଜେ ପାଖରେ ଗତ ୩ ବର୍ଷରୁ ଉର୍ଦ୍ଧ୍ୱ ଧରି ବହୁ ଉଠା ଦୋକାନୀ ଜୀବନ ଜୀବିକା ପାଇଁ ଉଠା ଦୋକାନରେ ଟ୍ରାଫିକ ନିୟମ ମାନି ବ୍ୟବସାୟ କରିଆସୁଥିଲେ । ସରକାରଙ୍କର କୌଣସି ନିଯୁକ୍ତି ନଥିବା ଯୋଗୁଁ ସେମାନେ ନିଜର ପରିବାରର ପ୍ରତିପୋଷଣ ପାଇଁ ବିଭିନ୍ନ ସଂସ୍ଥାରୁ ଋଣ ନେଇ ବ୍ୟବସାୟ କରିଆସୁଥିଲେ । ଗତ ୨୯ ଡିସେମ୍ବର ୨୦୨୨ (ଗୁରୁବାର) ବିନା ସୂଚନାରେ ହଠାତ୍ ମ୍ୟୁନସିପାଲଟି କର୍ତ୍ତୃପକ୍ଷ ଦୋକାନ ଭାଙ୍ଗିବା ସହିତ ବହୁ ଦୋକାନ ଉଠାଇ ନେଇଛନ୍ତି । ଯାହାଦ୍ୱାରା ସେମାନଙ୍କର ବ୍ୟବସାୟରେ ଘୋର କ୍ଷତି ହେବା ସହିତ ପରିବାରର ପ୍ରତିପୋଷଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ପରିବାରର ପ୍ରତିପୋଷଣ ଓ ଋଣ ସୁଝିବା ପାଇଁ ସେମାନଙ୍କୁ ଥଇଥାନ କରିବା ପାଇଁ ଏକ ବିକଳ୍ପ ସ୍ଥାନ ଦିଆଯାଉ ଓ ବିକଳ୍ପ ସ୍ଥାନ ନ ମିଳିବା ପର୍ଯ୍ୟନ୍ତ ସେମାନଙ୍କୁ ସେହିଠାରେ ପ୍ରଶାସନର ନିୟମ ଭିତରେ ବ୍ୟବସାୟ କରିବା ପାଇଁ ଅନୁମତି ଦିଆଯାଉ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ବାଲେଶ୍ୱର ସହରର ଥିବା ସମସ୍ତ ଉଠା ଦୋକାନୀଙ୍କୁ ଥଇଥାନ କରିବା ପାଇଁ ସହରରେ ଭେଣ୍ଡିଂ ଜୋନ କରାଯାଉ ବୋଲି ଶ୍ରୀ ଦତ୍ତ ଦାବୀ କରିଛନ୍ତି । ଅତିରିକ୍ତ ଜିଲାପାଳ ମଧ୍ୟ ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୂୟାଁ, ଉମେଶ ବେହେରା, ରାଜେନ୍ଦ୍ର ଚାଟାର୍ଜୀ, ସୌଭାଗ୍ୟ ମାନସ ନାୟକ, ମାନସ ସାହୁ ଓ ବହୁ ଉଠା ଦୋକାନୀ ଭାଇମାନେ ଉପସ୍ଥିତ ଥିଲେ ।
