ଆସନ୍ତୁ ଜାଣିବା ଭଗବାନ ଶିବ କାହିଁକି ଚନ୍ଦ୍ରକୁ ମଥାରେ ଧାରଣ କରିଛନ୍ତି?
ଭଗବାନ ଶିବଙ୍କ ଜଟାରୁ ପବିତ୍ର ଗଙ୍ଗାର ନିର୍ମଳ ଧାରା ବହେ । ଗଳାରେ ନାଗ ଆଉ ମସ୍ତକରେ ଚନ୍ଦ୍ର ଶୋଭାପାଏ । ସେଥିପାଇଁ ତାଙ୍କୁ ଶଶିଧର ଓ ଚନ୍ଦ୍ରଚୁଡ ମଧ୍ୟ କୁହାଯାଏ । ହେଲେ ଆପଣ ଜାଣନ୍ତି କି ଶିବ କାହିଁକି ନିଜ ମସ୍ତକରେ ଚନ୍ଦ୍ରକୁ ଧାରଣ କରିଛନ୍ତି?
ଶିବ ପୂରାଣରେ ବର୍ଣ୍ଣିତ ପ୍ରଥମ କଥା ଅନୁଯାୟୀ ଯେତେବେଳେ ସମୁଦ୍ର ମନ୍ଥନ କରାଯାଇଥିଲା ସେଥିରୁ ବିଷ ବାହାରିଥିଲା । ସାରା ସୃଷ୍ଟିକୁ ରକ୍ଷା କରିବା ପାଇଁ ଭଗବାନ ଶିବ ସମସ୍ତ ବିଷକୁ ପାନ କରିଥିଲେ । ବିଷର ଜ୍ୱାଳାରେ ତାଙ୍କ କଣ୍ଠ ନୀଳ ପଡିଗଲା । ସେଥିପାଇଁ ତାଙ୍କୁ କୁହାଗଲା ନୀଳକଣ୍ଠ । ବିଷ ପ୍ରଭାବରେ ଭଗବାନ ଶିବଙ୍କ ଶରୀର ଅତ୍ୟଧିକ ଉତପ୍ତ ହୋଇଗଲା । ଏଣୁ ତାଙ୍କୁ ଶୀତଳତା ପ୍ରଦାନ କରିବାକୁ ବିକଳ୍ପ ଖୋଜିବାକୁ ଲାଗିଲେ ଦେବଗଣ । ଚନ୍ଦ୍ର ଶିତଳତା ପ୍ରଦାନ କରୁଥିବା ଦେବତା ହୋଇଥିବାରୁ ତାଙ୍କୁ ହିଁ ସ୍ୱୟଂ ଭଗବାନ ମସ୍ତକରେ ଧାରଣ କରିଥିଲେ । ସେବେଠୁ ଚନ୍ଦ୍ର ଶିବଙ୍କ ମସ୍ତକରେ ବିରାଜମାନ ହୋଇ ସାରା ସୃଷ୍ଟିକୁ ଶୀତଳତା ପ୍ରଦାନ କରିଆସୁଛନ୍ତି । ଦ୍ୱିତୀୟ ପୌରାଣିକ କଥା ଅନୁଯାୟୀ ଚନ୍ଦ୍ରଙ୍କ ବିବାହ ପ୍ରଜାପତି ଦକ୍ଷଙ୍କ ୨୭ଟି ନକ୍ଷତ୍ର କନ୍ୟାଙ୍କ ସହ ହୋଇଥିଲା । ଏହି ଦକ୍ଷକନ୍ୟାମାନଙ୍କ ମଧ୍ୟରୁ ରୋହିଣୀ ଚନ୍ଦ୍ରଙ୍କର ସବୁଠୁ ଅଧିକ ପ୍ରିୟ ଥିଲେ । ଯାହା ଫଳରେ ଅନ୍ୟ ପତ୍ନୀମାନେ ରାଗିଯାଇ ଦକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହା ଶୁଣି ଦକ୍ଷ ରାଗିଯାଇ ଚନ୍ଦ୍ର ଶରୀର କ୍ଷୟ ହୋଇଯାଉ ବୋଲି ଅଭିଶାପ ଦେଇଥିଲେ । ଏହି ଅଭିଷାପର ପ୍ରତିଫଳନ ସ୍ୱରୁପ ଚନ୍ଦ୍ର ଧୀରେ ଧୀରେ କ୍ଷୟ ହେବାକୁ ଲାଗିଲେ । ଦୁଃଖ ଓ ସନ୍ତାପରେ ଚନ୍ଦ୍ର ଏହି ଅଭିଶାପରୁ ମୁକ୍ତି ହେବାକୁ ଭଗବାନ ଶିବଙ୍କୁ ତପସ୍ୟା କରିଥିଲେ । ଚନ୍ଦ୍ରଙ୍କ ତପସ୍ୟାରେ ଶିବ ପ୍ରସନ୍ନ ହେଇ ନିଜ ମସ୍ତକରେ ଧାରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅଭିଶାପ ମୁତାବକ ଚନ୍ଦ୍ର ମାସର ଗୋଟିଏ ପକ୍ଷ କ୍ଷୟ ହୋଇ ପୂନର୍ବାର ଆଉ ଗୋଟିଏ ପକ୍ଷରେ ନିଜ ପୂର୍ବ ସୌନ୍ଦର୍ଯ୍ୟ ଫେରିପାଇବେ ବୋଲି କୁହାଯାଇଥିଲା ।
