ଅଗଷ୍ଟର ନିଅଣ୍ଟିଆ ବର୍ଷା, ବଢ଼ାଇଲାଣି ଚିନ୍ତା
ନୂଆଦିଲ୍ଲୀ : ପାଣିପାଗ ବିଜ୍ଞାନୀମାନଙ୍କ ମତ ଅନୁସାରେ ଚଳିତବର୍ଷ ଅଗଷ୍ଟରେ କମ୍ ବର୍ଷା ରେକର୍ଡ କରାଯାଇଛି। ପୂର୍ବ ବର୍ଷମାନଙ୍କ ଅପେଷା ଚଳିତ ବର୍ଷ ବର୍ଷାର ପରିମାଣ କମ୍ ରହିଥିବା କୁହାଯାଉଛି। ଦେଶର ବିଭିନ୍ନ ସ୍ଥାନରେ କମ୍ ବୃଷ୍ଟିପାତ ସମସ୍ୟା ଦେଖିବାକୁ ମିଳିଛି। ସେହିପରି ରାଜ୍ୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଖୁବ୍ କମ୍ ବର୍ଷା ହୋଇଥିବା ଦେଖାଯାଇଛି। ଅଗଷ୍ଟ ମାସରେ ଦିଲ୍ଲୀ-ଏନସିଆର ୨୨୬.୮ ମିଲିମିଟର ବର୍ଷା ତୁଳନାରେ ୯୧.୯ ମିଲିମିଟର ବର୍ଷା ରେକର୍ଡ କରିଛି। ଯାହା ଅଗଷ୍ଟରେ ସାଧାରଣ ତୁଳନାରେ ୬୦ ପ୍ରତିଶତ କମ୍ ଅଟେ।
ସେହିପରି ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ଅଗଷ୍ଟ ମାସରେ ୧ ତାରିଖରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ୨୯୮.୬ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୩୩୩.୫ ମିମି ତୁଳନାରେ ପାଖାପାଖି ୧୦% କମ ଅଟେ। ଏହି ପରିସଂଖ୍ୟାନ ଅଗଷ୍ଟର ବର୍ଷାର ସ୍ଥିତିକୁ ପ୍ରାୟତଃ ସ୍ବାଭାବିକ ଦେଖାଉଛି। ଗତ ୫ ବର୍ଷର ଅଗଷ୍ଟମାସର ବର୍ଷା ତୁଳନାରେ ଚଳିତ ବର୍ଷ ଖୁବ୍ କମ୍ ବର୍ଷା ରେକର୍ଡ କରାଯାଇଛି।
ତବେ ଅଗଷ୍ଟ ମାସ ଚାଷ କାର୍ଯ୍ୟ ପାଇଁ ଖୁବ୍ ଅନୂକୁଳ ହୋଇଥିବା ବେଳେ ବର୍ଷାର ସ୍ଥିତି ଦେଖି ଏବେ ହତାଶ ହୋଇପଡ଼ିଛନ୍ତି ଚାଷୀ। ବର୍ତ୍ତମାନ ସୁଦ୍ଧା ରାଜ୍ୟର କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଓ ଆଉ କିଛି ଅଞ୍ଚଳରେ ବର୍ଷାର ଆବଣ୍ଟନରେ ଅସମାନତା ଚାଷ ପାଇଁ ବିପଦ ସୃଷ୍ଟି କରିଛି। ଏମିତି ଘଟିଲେ ରାଜ୍ୟରେ ଧାନ ଅମଳ କମିବା ସହ ଖରିଫ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ମଧ୍ୟ ବୃଦ୍ଧି ପାଇପାରେ ବୋଲି ସନ୍ଦେହ କରାଯାଉଛି।
