ବିଡିଓଙ୍କୁ ବିଧାୟକଙ୍କ ଆକ୍ରମଣ, ଥାନାରେ ଏତଲା
ଦେବଗଡ : ବିଡିଓଙ୍କୁ ବିଧାୟକଙ୍କ ଆକ୍ରମଣ । ଦେବଗଡ଼ ଥାନାରେ ଏତଲା ଦେଇଛନ୍ତି ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତି । ଘଟଣା ସମ୍ପର୍କରେ ସେ ଜିଲାପାଳଙ୍କୁ ଜଣାଇଛନ୍ତି । ବିଡିଓଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ । ବିଧାୟକ ଓ ବିଡିଓ ଦେବଗଡ଼ ଥାନାରେ ଏତଲା ହୋଇଥିବା ସ୍ୱୀକାର କରିଛନ୍ତି ଏସପି । ଦେବଗଡ଼ ଏସପି କହିଛନ୍ତି ଉଭୟ ପକ୍ଷର ଏତଲା ଅନୁସାରେ ମାମଲା ରୁଜୁ ହୋଇଛି । ପୋଲିସ ୨ଟି ମାମଲା ରୁଜୁ କରି କରି ତଦନ୍ତ ଆରମ୍ଭ କରିଛି ।
ଦେବଗଡ ଜିଲା ତିଲେଇବଣୀ ବ୍ଲକ ବିଡିଓଙ୍କୁ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମାଡପିଟ କରିଥିବା ଅଭିଯୋଗ ହୋଇଛି । ତିଲେଇବଣୀ ବ୍ଲକ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଏକ ସରକାରୀ କାର୍ଯ୍ୟରେ ଛେପଲିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡି ଗ୍ରାମକୁ ଯାଇଥିବାବେଳେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କର ସମର୍ଥକମାନେ ଘଟଣାସ୍ଥଳରେ ପହଞ୍ଚି ବିଡିଓଙ୍କୁ ଆକ୍ରମଣ କରିଥିଲେ। ବିଡିଓଙ୍କ ଓଠ ଫାଟିଯିବା ସହ ସେ ଆହତ ହୋଇଥିବା ଅଭିଯୋଗ କରିଛନ୍ତି । ଘଟଣା ପରେ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଦେବଗଡ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି । ଅପରାହ୍ନ ସାଢେ ପାଞ୍ଚଟାରେ ଏନେଇ ଦେବଗଡ ଆଦର୍ଶ ଥାନାରେ ପହଞ୍ଚି ବିଡିଓ ଲିଖିତ ଅଭିଯୋଗ କରିଛନ୍ତି ।
