ପୌର ନିର୍ବାଚନ ବାଟ ଫିଟିଲା
- ବିଧାନସଭାରେ ପାରିତ ହେଲା ପୌରାଞ୍ଚଳ ଆଇନ ସଂଶୋଧନ ବିଲ
ଭୁବନେଶ୍ୱର : ବିଧାନସଭାରେ ମଙ୍ଗଳବାର ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ୍ ୨୦୨୧ ପାରିତ ହୋଇଛି । ବିଲ ଅନୁଯାୟୀ ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବ୍ୟସ୍ଥା ରହିବ । ଏହି ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ଦେବା ପରେ ଅବଶିଷ୍ଟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ରଖାଯିବ, ଯାହାକି ୨୭ ପ୍ରତିଶତରୁ ଅଧିକ ହେବନାହିଁ । ଏହି ବିଲ୍ ପାରିତ ହେବା ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟିଛି ।
ରାଜ୍ୟ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଦିନ ବିଧାନସଭାରେ ଓଡ଼ିଶା ପଂଚାୟତ ଆଇନ ସଂଶୋଧନ ବିଲ୍ ୨୦୨୧ ଆଗତ କରିଛନ୍ତି । ଓଡିଶା ଗ୍ରାମ ପଂଚାୟତ ବିଧେୟକ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ଭିତରେ ରହିବ । ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ । ପଛୁଆ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାରେ ଯାହା ଲାଗୁ ହେବ ତାହା ପ୍ରାଧିକୃତ ଅଧିକାରୀ ତାହାକୁ କାର୍ଯ୍ୟକାରୀ କରିବେ । ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ହେବା ପରେ ଅବଶିଷ୍ଟ ଆସନଗୁଡିକ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ କରାଯିବ । କିନ୍ତୁ ତାହା ୨୭ ଭିତରେ ରହିବା ଉଚିତ । ଯେଉଁଠି ପେଶା ଆଇନ କାର୍ଯ୍ୟକାରୀ ହେଉଛି ଅଥବା ସିଡ୍ୟୁଲ ଏରିଆରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ନାହିଁ । ଏହି ବିଲ୍ ବିଧାନସଭାରେ ପାରିତ ହେଲେ ପଂଚାୟତ ନିର୍ବାଚନ ପାଇଁ ବାଟ ଫିଟିବ ।
