ତ୍ରିପୁରାରେ ଆଇନ ଶୃଙ୍ଖଳା ପରିସ୍ଥିତି : ଆଜି ଟିଏମସି ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ତ୍ରିପୁରା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି ସବୁକିଛି । ତ୍ରିପୁରାରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଟିଏମସି (ତୃଣମୂଳ କଂଗ୍ରେସ)ର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ଏହାପୂର୍ବରୁ ଶାନ୍ତିପୂର୍ଣ୍ଣ ଭାବରେ ରାଜନୈତିକ ପ୍ରଚାର ଓ ଆଇନ ଅନୁଯାୟୀ କୌଣସି ରାଜନୈତିକ ଦଳକୁ ସେମାନଙ୍କ ଅଧିକାର ବ୍ୟବହାର ନ କରିବାକୁ କୋର୍ଟ ତ୍ରିପୁରା ପୋଲିସ କର୍ତ୍ତୃପକ୍ଷଙ୍କୁ କହିଥିଲେ। ନଭେମ୍ବର ୨୫ରେ ଅଗରତାଲା ମ୍ୟୁନିସିପାଲିଟି କର୍ପୋରେସନ (ଏମସି) ଏବଂ ଅନ୍ୟ ମ୍ୟୁନିସିପାଲିଟିରେ ନିର୍ବାଚନ ହେବାକୁ ଯାଉଛି। ଏ ନେଇ ସୋମବାର ଭାରତୀୟ ଜନତା ପାର୍ଟି ଏବଂ ଟିଏମସିର ହେବାକୁ ଥିବା ରାଲିକୁ ଅନୁମତି ଦେବାକୁ ମନା କରି ଦେଇଥିଲା ରାଜ୍ୟ ପୋଲିସ ।
ଗତ ରବିବାର ଟିଏମସି କର୍ମୀମାନଙ୍କୁ ବିଜେପି ସଦସ୍ୟମାନେ ଅସ୍ତ୍ରଶସ୍ତ୍ରରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଗରତାଲାରେ ଥିବା ଗୋଟିଏ ପୋଲିସ୍ ଷ୍ଟେସନ ଭିତରେ ଏପରି ଘଟିଥିଲେ ମଧ୍ୟ ପୋଲିସ୍ କେବଳ ନିରବଦ୍ରଷ୍ଟା ସାଜିଥିଲା। ଦଳୀୟ ନେତା ସାୟୋନି ଘୋଷଙ୍କୁ ପୋଲିସ୍ ଥାନାକୁ ଆଣି ଗିରଫ କରିଥିବାରୁ ଏହା ବିରୋଧରେ ଟିଏମସି କର୍ମୀମାନେ ଏକାଠି ହୋଇଥିଲେ। ଏହି ସମୟରେ ସେମାନେ ଆକ୍ରମଣ ଶିକାର ହୋଇଥିବା ଦଳ ଅଭିଯୋଗ କରିଛି। ତ୍ରିପୁରାରେ ପୋଲିସର ଅତ୍ୟାଚାର ଚାଲିଛି ବୋଲି କହିଥିଲା ଟିଏମସି । ତ୍ରିପୁରା ହିଂସାକାଣ୍ଡ ଓ ପୋଲିସର ଅତ୍ୟାଚାର ନେଇ ବିରୋଧରେ ଗତକାଲି(ସୋମବାର) ଟିଏମସି ସାଂସଦମାନେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଧାରଣା ଦେଇଥିଲେ। ଟିଏମସି ସାଂସଦମାନେ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନାରାବାଜି କରିଥିଲେ। ଟିଏମସି ନେତା ସୁଖେନ୍ଦୁ ଶେଖର ରୟ କହିଥିଲେ ଯେ “ଆମ କଥା ସ୍ବରାଷ୍ଟ୍ର ମନ୍ତ୍ରୀ ଶୁଣନ୍ତୁ ବୋଲି ଆମେ ଦାବି କରୁଛୁ। ତ୍ରିପୁରାରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଉଭୟ ଶାହ ଓ ମୋଦି ଉତ୍ତର ରଖନ୍ତୁ । ପରେ ଗୃହମନ୍ତ୍ରୀ ଅମିତ ଶାହା ସେମାନଙ୍କ ଭେଟିଥିଲେ । ଆଜି ଟିଏମସିର ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ ।
