ବାରିପଦା ଉପଖଣ୍ଡ ତରଫରୁ ଭୋଟର ସଚେତନତା ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ ଉପଖଣ୍ଡର ୧୦ ଗୋଟି ବ୍ଲକ ସହ ପୌରାଞ୍ଚଳରେ ପରିକ୍ରମା କରିବ ରଥ
ବାରିପଦା : ଆଜି ପୂର୍ବାହ୍ନରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁଇ ଗୋଟି ଭୋଟର ସଚେତନତା ରଥକୁ ମୟୂରଭଂଜ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ବିନୀତ ଭରଦ୍ୱାଜ, ଭାପ୍ରସେ, ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ କାର୍ଯ୍ୟକ୍ରମରେ ଭୋଟର ପରିଚୟପତ୍ର ନମ୍ବର ସହ ଆଧାର ନମ୍ବରକୁ ସଂଯୋଗ କରିବା, ନୂତନ ଯୁବ ଭୋଟରମାନଙ୍କ ଭୋଟର ତାଲିକାରେ ନାମ ପଞ୍ଜିକରଣ କରାଯିବା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସକ୍ଷିପ୍ତ ସଂଶୋଧନ କରାଯିବା ମୁଖ୍ୟ ଉଦ୍ଦେଶ୍ୟ ନେଇ ବାରିପଦା ଉପଖଣ୍ଡର ୧୦ ଗୋଟି ବ୍ଲକ ଅଞ୍ଚଳ ସହିତ ପୌରାଞ୍ଚଳରେ ପରିକ୍ରମା କରି ସଚେତନତା କରାଯାଉଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲାରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ମତଦାତା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଭୋଟର ମାନେ ନିଜ ସ୍ମାର୍ଟ ଫୋନ ଜରିଆରେ ଗୁଗୁଲ ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପ ଲାଇନ ଆପ ଡାଉନଲୋଡ କରି, ନିର୍ଦ୍ଧାରିତ ୱେବସାଇଟ ପୋର୍ଟାଲରେ ଅଥବା ଉପଲବ୍ଧ ଭୋଟର ସହାୟକ କେନ୍ଦ୍ରକୁ ଯାଇ ସ୍ଥାନୀୟ ବି.ଏଲ.ଓ ମାନଙ୍କ ଜରିଆରେ ଫର୍ମ ୬-ଖ ପୂରଣକରି ନିଜର ଭୋଟର ପରିଚୟ ପତ୍ର ନମ୍ବରକୁ ଆଧାର ନମ୍ବର ସହିତ ସଂଯୋଗ କରିବା ପାଇଁ ଆବେଦନ କରିପାରିବେ କିମ୍ବା ସ୍ଥାନୀୟ ବି.ଏଲ.ଓ (ବୁଥସ୍ତରୀୟ ଅଧିକାରୀ)ଙ୍କ ଦ୍ୱାରା ପ୍ରଦତ ଫର୍ମ ୬-ଖ ପୂରଣକରି ସମ୍ପୃକ୍ତ ବିଏଲଓଙ୍କ ନିକଟରେ ଦାଖଲ କରିପାରିବେ ଯିଏକି ଭୋଟରମାନଙ୍କ ଭୋଟର ପରିଚୟପତ୍ରକୁ ଆଧାର ସହିତ ସଂଯୋଗ କରାଇବାରେ ସହଯୋଗ କରିବେ । ଏଥିସହିତ ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟାରେ ଅକ୍ଟୋବର ୧ ତାରିଖ ୧୮ବର୍ଷ ଯୋଗ୍ୟ ବିବେଚିତ ହେଉଥିବା ନୂତନ ଯୁବ ଭୋଟମାନେ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିପାରିବେ । ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସମସ୍ତ ଉପଖଣ୍ଡର ବ୍ଲକ ଅଞ୍ଚଳ , ପୌରାଞ୍ଚଳ /ବିଜ୍ଞାପିତ ଅଂଚଳରେ ମଧ୍ୟ ସଚେତନତା ତ୍ୱରାନ୍ୱିତ କରାଯାଉଛି । ଏହି ଅବସରରେ ବାରିପଦା ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ, ଅନ୍ୟା ଦାସ, ଭାପ୍ରସେ, ଅତିରିକ୍ତ ଜିଲ୍ଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ମୟୂରଭଞ୍ଜ ହେମନ୍ତ କୁମାର ସିଂ, ଡେପୁଟି କଲେକ୍ଟର (ନିର୍ବାଚନ ) ସାଇସ୍ମିତା ଉପାଧ୍ୟାୟ, ସମ୍ପୃକ୍ତ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
