ପ୍ରସାରଣ ସେବା ପୋର୍ଟାଲ ଉନ୍ମୋଚନ : ବୃଦ୍ଧି ପାଇବ ଇକୋସିଷ୍ଟମରେ ପାରଦର୍ଶିତା, ଉତରଦାୟିତ୍ୱ ଏବଂ ତତ୍ପରତା
ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀରେ ପ୍ରସାରଣ ସେବା ପୋର୍ଟାଲର ଉନ୍ମୋଚନ କରିଛନ୍ତି । ଏଥିସହିତ ପ୍ରସାରଣ କ୍ଷେତ୍ରରେ ‘ବ୍ୟବସାୟିକ ସୁଗମତା’ ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ପ୍ରସାରଣ ସେବା ପୋର୍ଟାଲ ଏକ ଅନଲାଇନ ପୋର୍ଟାଲ, ଯାହା ଅଧୀନରେ ପ୍ରସାରକମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଲାଇସେନ୍ସ, ଅନୁମତି, ପଞ୍ଜୀକରଣ ଆଦି ପାଇଁ ଆବେଦନକୁ ଯଥାଶୀଘ୍ର ଦାଖଲ କରାଯାଇ ପାରିବ । ଏସବୁ ଆବେଦନର ଯାଞ୍ଚ ପ୍ରକ୍ରିୟା ମଧ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରାଯାଇପାରିବ ।
ଏହି ଅବସରରେ ଅନୁରାଗ ଠାକୁର କହିଥିଲେ ଯେ ସରକାର ବ୍ୟବସ୍ଥାଗତ ପାରଦର୍ଶିତା ଆଣିବା ଏବଂ ଏହାକୁ ଆହୁରି ଉତରଦାୟୀ କରିବା ଲାଗି ପ୍ରଯୁକ୍ତିର ଉପଯୋଗ କରିଛନ୍ତି । ପ୍ରସାରଣ ସେବା ପୋର୍ଟାଲରେ ଆବେଦନ କଲେ ଚୂଡ଼ାନ୍ତ ନିଷ୍ପତି ଗ୍ରହଣ କରିବାରେ ଲାଗୁଥିବା ସମୟ ହ୍ରାସ ପାଇବ ଏବଂ ଆବେଦନକାରୀମାନଙ୍କୁ ଆବେଦନର ପ୍ରଗତି ସମ୍ପର୍କରେ ସୂଚନା ମିଳିପାରିବ । ଏହି ପୋର୍ଟାଲ ଆବେଦନକାରୀମାନଙ୍କର ବାରମ୍ବାର ଉପସ୍ଥିତି ଆବଶ୍ୟକତାକୁ ମଧ୍ୟ କମାଇବ, ଯାହାକି ପୂର୍ବରୁ ଜରୁରି ଥିଲା । ଏହି ପୋର୍ଟାଲ ମନ୍ତ୍ରଣାଳୟର କ୍ଷମତା ବୃଦ୍ଧିରେ ମଧ୍ୟ ସହାୟକ ହେବ । ବ୍ୟବସାୟିକ ସୁଗମତା ବା ଇଜ୍ ଅଫ୍ ଡୁଇଂ ବିଜନେସ କ୍ଷେତ୍ରରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇପାରିବ ।
ଶ୍ରୀ ଠାକୁର ଆହୁରି ମଧ୍ୟ କହିଥିଲେ ଯେ ସବୁ ପ୍ରକାରର (୩୬୦ ଡିଗ୍ରୀ) ଡିଜିଟାଲ ସମାଧାନ, ଅଂଶୀଦାରମାନଙ୍କୁ ଅନୁମତି ଆଣିବା, ପଞ୍ଜୀକରଣ ପାଇଁ ଆବେଦନ କରିବା, ଆବେଦନ ଉପରେ ଦୃଷ୍ଟି ରଖିବା, ଶୁଳ୍କ ଗଣନା କରିବା ଏବଂ ପରିଶୋଧ କରିବାର ସୁବିଧା ଏହି ପୋର୍ଟାଲରୁ ମିଳିପାରିବ । ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ, ଟେଲିପୋର୍ଟ ପରିଚାଳକ, ଏମଏସଓ, ଗୋଷ୍ଠୀ ଏବଂ ଘରୋଇ ରେଡିଓ ଚ୍ୟାନେଲ ସହ ଜଡ଼ିତ ସବୁ ଅଂଶୀଦାରମାନଙ୍କୁ ଡିଜିଟାଲ ଇଣ୍ଡିଆର ବ୍ୟାପକ ପ୍ରୟାସ ଅଧୀନରେ ଏହି ପୋର୍ଟାଲ ସେବା ପ୍ରଦାନ କରିବ ।
ପୋର୍ଟାଲ ଦ୍ୱାରା ୯୦୦ରୁ ଅଧିକ ସାଟେଲାଇଟ୍ ଟିଭି ଚ୍ୟାନେଲ, ୭୦ରୁ ଅଧିକ ଟେଲିପୋର୍ଟ ପରିଚାକ, ୧୭୫୦ରୁ ଅଧିକ ବହୁ ସେବା ପରିଚାଳକ, ୩୫୦ରୁ ଅଧିକ ଗୋଷ୍ଠୀ ରେଡିଓ ଷ୍ଟେସନ (ସିଆରଏସ), ୩୮୦ରୁ ଅଧିକ ଘରୋଇ ଏଫଏମ ଚ୍ୟାନେଲ ଲାଭାନ୍ୱିତ ହୋଇପାରିବେ । ବ୍ୟବସାୟିକ ସୁଗମତା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ସହିତ ସମ୍ପୂର୍ଣ୍ଣ ପ୍ରସାରଣ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ଏହି ପୋର୍ଟାଲ ବିଶେଷ ସହାୟକ ହୋଇପାରିବ ।’
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର କହିଥିଲେ ଯେ ନୂଆ ପୋର୍ଟାଲରେ ପୂର୍ବ ସଂସ୍କରଣ ତୁଳନାରେ ଅନେକ ସୁଧାର ଅଣାଯାଇଛି ଏବଂ ସେଥିରେ ଗୋଟିଏ ମାସର ପରୀକ୍ଷଣ ଅବଧି ସମୟରେ ଅଂଶୀଦାରମାନଙ୍କ ଠାରୁ ପ୍ରାପ୍ତ ପରାମର୍ଶକୁ ମଧ୍ୟ ସାମିଲ କରାଯାଇଛି ।ପୋର୍ଟାଲ ଦ୍ୱାରା ଇକୋସିଷ୍ଟମରେ ପାରଦର୍ଶିତା, ଉତ୍ତରଦାୟିତ୍ୱ ଏବଂ ତତ୍ପରତା ବୃଦ୍ଧି ପାଇବ ଏବଂ ସବୁ ପ୍ରକାର ସୂଚନା ଗୋଟିଏ ଡ୍ୟାଶବୋର୍ଡରେ ଉପଲବ୍ଧ ହେବ । ପୋର୍ଟାଲରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ (ଏଣ୍ଡ ଟୁ ଏଣ୍ଡ) ଯାଂଚ ସୁବିଧା, ପରିଶୋଧ ପ୍ରଣାଳୀ ସହିତ ସମନ୍ୱୟ (ଭାରତ କୋଷ), ବିଶ୍ଳେଷଣ, ରିପୋର୍ଟିଂ ଏବଂ ପରିଚାଳନା ସୂଚନା ପ୍ରଣାଳୀ (ଏମଆଇଏସ),ସମନ୍ୱିତ ହେଲ୍ପଡେସ୍କ. ଆବେଦନ ଫର୍ମ ଏବଂ ଷ୍ଟାଟସ ଜାଣିବାର ସୁବିଧା, ପୋର୍ଟାଲରୁ ପତ୍ର/ଆଦେଶ ଡାଉନଲୋଡ୍ କରିବାର ସୁବିଧା ଓ ଅଂଶୀଦାରମାନଙ୍କ ପାଇଁ ସତର୍କତା (ଏସଏମଏସ/ଇମେଲ)ଆଦି ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରସାରକମାନେ ପୋର୍ଟାଲ ଉନ୍ମୋଚନକୁ ସ୍ୱାଗତ କରିଥିଲେ ଏବଂ କହିଥିଲେ ଯେ ଆବେଦନ ପାଇଁ ଲାଗୁଥିବା ସମୟ ହ୍ରାସ କରିବାରେ ଏହା ସହାୟକ ହୋଇପାରିବ । ଆବେଦନ ପ୍ରକ୍ରିୟା ପାଇଁ ଆବଶ୍ୟକ ପ୍ରୟାସକୁ ଏହା ସହଜ କରିବ । ପ୍ରସାରଣ ସେବା ପୋର୍ଟାଲ ଉନ୍ମୋଚନ କାର୍ଯ୍ୟକ୍ରମର ଲିଙ୍କ ନିମ୍ନରେ ଦିଆଗଲା । http://davp.nic.in/ebook/bsp/Broadcast_Seva_Portal/index.html
