ସମସ୍ୟା ଦେଇ ଗତି କରୁଛି ଲଙ୍ଗଳେଶ୍ୱର ୪ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ର
ଲଙ୍ଗଳେଶ୍ୱର : ବାଲିଆପାଳ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର ୪ନମ୍ବର ଅଙ୍ଗନୱାଡ଼ି ବହୁ ସମସ୍ୟା ଦେଇ ଗତି କରୁଛି । ଭଙ୍ଗା ଘରେ ପାଠ ପଢ଼ା ଚାଲିଥିବା ବେଳେ ଅଙ୍ଗନୱାଡ଼ି ଦିଦି ମଧ୍ୟ ନିୟମିତ ଆସୁ ନ ଥିବା ଅଭିଯୋଗ ହୋଇଛି ।
ଖବର ନେବାରୁ ଜଣାଯାଇଛି ଯେ, ଗତ ୨୦୧୦ ମସିହାରେ ଆରମ୍ଭ ହୋଇଥିଲା ଏହି ଅଙ୍ଗନୱାଡ଼ି କେନ୍ଦ୍ର । ପ୍ରଥମରୁ ନିଜସ୍ୱ ଗୃହ ନ ଥିବା ଯୋଗୁଁ ପୁରୁଣା ପ୍ରତ୍ୟକ୍ତ ଇଜିଏସ୍ ଘରକୁ ସଫା କରି ଚାଲୁଥିଲା କେନ୍ଦ୍ର । ଇଟା କାନ୍ଥ ଓ ଏଜବେଷ୍ଟରେ ନିର୍ମାଣ ହୋଇଥିଲେ ହେଁ ଏବେ ଉପରେ ଏଜବେଷ୍ଟ ଭାଙ୍ଗିଯିବା ସହିତ କାନ୍ଥ ଫାଟି ଗଲାଣି । ବର୍ଷା ଦିନ ଯୋଗୁଁ ଉପରେ ଫାଙ୍କା ଥିବାରୁ ପାଣି ଗଳୁଛି । ତଳେ ପାଣି ଠିଆ ହେବା ସହିତ କାଦୁଅ ପଚ ପଚ କରୁଛି । କୁନି କୁନି ପିଲାମାନେ ବସିବା ତ ଦୂରର କଥା ଠିଆ ହେବା ପାଇଁ ମଧ୍ୟ ଜାଗା ନାହିଁ । ତେଣୁ କେମିତି ଚାଲିଛି ଏହି କେନ୍ଦ୍ର ତାହା ଅନୁମେୟ । ନୂଆ ଘର ପାଇଁ ଅଙ୍ଗନୱାଡ଼ି କର୍ମୀ ଦମୟନ୍ତି ବେହେରା ସମସ୍ତ କାଗଜପତ୍ର ଦୁଇବର୍ଷ ଧରି ବିଡ଼ିଓ ଓ ସିଡ଼ିପିଓଙ୍କ ଠାରେ ଦେଇଥିଲେ ହେଁ କିଛି ସୁଫଳ ମିଳିନି । ବ୍ଲକ ପ୍ରଶାସନ କୁନି କୁନି ପିଲାଙ୍କ ଜୀବନ ସହିତ ଖେଳୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଖୁବ୍ଶୀଘ୍ର ନିଜସ୍ୱ ଗୃହ ନିର୍ମାଣ କରିବାକୁ ଦାବି କରିଛନ୍ତି । ଏହା ବ୍ୟତୀତ ଅଙ୍ଗନୱାଡ଼ି କର୍ମୀ ନିୟମିତ ଆସନ୍ତି ନାହିଁ, ପିଲାମାନଙ୍କୁ ଟିଫିନ କେବେ ଦିଆଯାଇ ନାହିଁ । ଅଣ୍ଡା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଠିକ୍ ଭାବେ ବଣ୍ଟନ କରନ୍ତି ନାହିଁ ବୋଲି କବିତା ଦାସ, ରଶ୍ମିତା ଦାସ, ସୁବସିନୀ ଦାସ, ସସ୍ମିତା ପାତ୍ର, ଅନିତା ଜେନା, ଲକ୍ଷ୍ମୀପ୍ରିୟା ଜେନା, ଲଜିତା ଦାସ, ସୁପ୍ରିୟା ଦାସ ପ୍ରମୁଖ ସ୍ଥାନୀୟ ସରପଞ୍ଚ କାଳିଚରଣ ଜେନାଙ୍କ ଠାରେ ଅଭିଯୋଗ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ବାବଦରେ ଧ୍ୟାନ ଦେଇ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ମାନେ ଦାବି ଜଣାଇଛନ୍ତି । ଏ ନେଇ ସିଡ଼ିପିଓଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ହେଁ ସେ କଲ୍ ରିସିଭ୍ କରିନଥିଲେ ।
