ବାତ୍ୟା ‘ଗୁଲାବ୍’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର : ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ । ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ୫୦ ରୁ ୬୦ କିମି ବେଗରେ ପବନ ବହୁଛି । ବର୍ତ୍ତମାନ ଏହା ଗୋପାଳପୁରଠାରୁ ୯୫ କିମି ଦୂରରେ ରହିଥିବା ଜଣାପଡ଼ିଛି । ଗୁଲାବ ଆନ୍ଧ୍ର କଳିଙ୍ଗପଟ୍ଟନମ୍ ଠାରୁ ୮୫ କିମି ଦୂରରେ ରହିଛି । ବିଗତ ୩ ଘଣ୍ଟାରେ ଏହାର ବେଗ ୨୫ କିମି ରହିଛି । ମଧ୍ୟରାତ୍ର ସୁଦ୍ଧା ଏହା ଗୋପାଳପୁର ଓ କଳିଙ୍ଗପାଟ୍ଟନମ୍ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିମି ରହିବ ବୋଲି ଜଣାପଡ଼ିଛି । ପ୍ରାୟ ୩ ଘଣ୍ଟା ଧରି ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । ଏହି ପ୍ରକ୍ରିୟା ମଧ୍ୟରାତ୍ରି ଯାଏଁ ଜାରି ରହିବ ବୋଲି ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି ।
ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବାତ୍ୟାର କ୍ଲାଉଡ଼ ବ୍ୟାଣ୍ଡ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳକୁ ଛୁଇଁଛି । କଳିଙ୍ଗପାଟ୍ଟନମଠାରୁ ୨୫ କିଲୋମିଟର ଦୂରତାରେ ଏହା ଉପକୂଳକୁ ଅତିକ୍ରମ କରିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ପୁରୀରେ ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ ପବନ ବୋହୁଥିବାବେଳେ ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ପବନ ବୋହୁଛି । ତେବେ ବାତ୍ୟା ଉପକୂଳ ନିକଟକୁ ଯେତେ ଅଧିକରୁ ଅଧିକ ଆସିବ ପବନର ବେଗ ସେତେ ବଢିବ। ପୂର୍ବ ପୂର୍ବାନୁମାନ ମୁତାବକ ପବନର ବେଗ ସର୍ବାଧିକ ୭୫ରୁ ୮୫ କିଲୋମିଟର ବେଗ ରହିପାରେ ।ସମୟ ସମୟରେ ୯୫ କିଲୋମିଟର ବେଗରେ ଝଟକା ଅନୁଭୁତ ହେବ । ଗଞ୍ଜାମ ଓ ଗଜପତିରେ ସର୍ବାଧିକ ପ୍ରଭାବ ପକାଇପାରେ ବୋଲି ସେ କହିଛନ୍ତି । ଗୋପାଳପୁର ବନ୍ଦର ପାଇଁ ବିପଦ ସଙ୍କେତ ୭ , ପୁରୀ ପାଇଁ ବିପଦ ସଙ୍କେତ ୬ ଓ ପାରାଦ୍ୱୀପ ଏବଂ ଧାମରା ବନ୍ଦର ଗୁଡିକ ପାଇଁ ବିପଦ ସଙ୍କେତ ୩ ଜାରି କରାଯାଇଛି ।
