କଳିଙ୍ଗପାଟନମରେ ସ୍ଥଳଭାଗ ଛୁଇଁବା ବାତ୍ୟା, ଆଜି ସନ୍ଧ୍ୟାରୁ ଉପକୂଳ ଜିଲାରେ ବର୍ଷା
ଭୁବନେଶ୍ୱର : ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ବାତ୍ୟାର ରୂପ ନେଇପାରେ। ଏବେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ବେଳେ ୧୨ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ। ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ଗୋପାଳପୁରଠାରୁ ପଶ୍ଚିମ, ଦକ୍ଷିଣ-ପଶ୍ଚିମକୁ ୫୧୦ କିଲୋମିଟର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୫୯୦କିଲୋମିଟର ଦୂର ପଶ୍ଚିମକୁ ରହିଛି। ଏବେ ଏହାର ବେଗ ଘଣ୍ଟାପ୍ରତି ୧୨ କିଲୋମିଟର ରହିଛି। ଏହା ଗୋପାଳପୁର ଓ ବିଶାଖାପାଟଣମ ଭିତରେ ପାସ୍ କରିବ ବାତ୍ୟା । ଏବେକାର ସ୍ଥିତିକୁ ଦେଖିଲେ ଏହା କଳିଙ୍ଗପାଟନମରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୪ ରୁ ୫ ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଶନିବାର ସନ୍ଧ୍ୟା ପରଠୁ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ଘୂର୍ଣ୍ଣିବଳୟ ସାଇକ୍ଲୋନିକ ଷ୍ଟ୍ରମର ରୂପ ନେବ । ୬୦ ରୁ ୭୦ କିମି ବେଗରେ ପବନ ବୋହିବର ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।
ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ୭ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରାଯାଇଛି । ଗଜପତି ଓ ରାୟଗଡ଼ା ଭଳି ଜିଲ୍ଲାରେ ଭୁସ୍କଳନ ହେବାର ସମ୍ଭାବନା ରହିଛି । ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଏହା ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ ଏହା ବ୍ୟତୀତ ନୟାଗଡ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ପରିସ୍ଥିତିକୁ ଦେଖି ଓଡ୍ରାଫ, ଏନଡ଼ିଆରଫ ଓ ଫାୟାର ସର୍ଭିସ ସହିତ ଆଲୋଚନା କରାଯାଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ୪୨ଟି ଓଡ୍ରାଫ ଟିମ୍ , ୨୪ ଟି ଏନଡ଼ିଆରଫ ଟିମ୍ ଏବଂ ୧୦୨ ରୁ ଅଧିକ ଅଗ୍ନିଶମ ବାହିନୀ ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ କରାଯାଇଛି । ସେପଟେ ଜଳସମ୍ପଦ ବିଭାଗ ତାଙ୍କର ରିଜର୍ଭର ସ୍ଥିତି ଦେଖୁଛନ୍ତି । ଦକ୍ଷିଣବର୍ତୀ ଜିଲ୍ଲା ଗୁଡ଼ିକର ଜଳଭଣ୍ଡାର ଗୁଡିକ ଉପରେ ତୀକ୍ଷଣ ରଖାଯାଇଛି । ଯେଉଁଠି ପାଣି ଅଧିକ ରହିଛି , ସେଠାରୁ ଉଦ୍ଧାର କାର୍ଯ୍ୟ କରିବାକୁ କୁହାଯାଇଛି । ଯେଉଁ ସବୁ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ଆଜି ସନ୍ଧ୍ୟା ସୁଦ୍ଧା ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ଆସନ୍ନ ପ୍ରସବା ମହିଳାମାନଙ୍କୁ ମେଡ଼ିକାଲ ଆଣିବାକୁ କୁହାଯାଇଛି ।
