ବଡ଼ ଏକାଦଶୀରେ ସାକ୍ଷୀଗୋପାଳଙ୍କ ଲକ୍ଷ୍ମୀ ନାରାୟଣ ବେଶ
ସାକ୍ଷିଗୋପାଳ : ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳଙ୍କ ପୀଠରେ ଆଜି ପବିତ୍ର କାର୍ତିକ ମାସ ବଡ଼ ଏକାଦଶୀ ତିଥିରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁ ମାନେ ପ୍ରଭୁ ଶ୍ରୀକୃଷ୍ଣ ଓ ମା ରାଧାରାଣୀଙ୍କ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ କରିଛନ୍ତି । ଏହି ପବିତ୍ର ତିଥିରେ ଠାକୁରଙ୍କୁ ଚୁଡ଼ାଘଷା ଭୋଗ ଲାଗି ହେବାର ପରମ୍ପରା ରହିଛି । ଠାକୁର ଦକ୍ଷିଣ ଭାରତର ହୋଇଥିବାରୁ ବର୍ଷତମାମ ଏଠାରେ ସେଠାକାର ଭୋଗ ସାମଗ୍ରୀ ଲାଗି କରାଯାଇଥାଏ ।
କିନ୍ତୁ, ଆଜି ଦିନର ସ୍ୱତନ୍ତ୍ରତା ଅନୁଯାୟୀ ଠାକୁରଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଉତ୍ପାଦିତ ଚାଉଳରୁ ପ୍ରସ୍ତୁତ ଚୁଡ଼ାରେ ଭୋଗ ପ୍ରସ୍ତୁତ କରାଯାଇ ଲାଗି କରାଯାଇଥାଏ । ସେହିପରି ଅନେକ ମାନସିକ ଧାରୀ ମନ୍ଦିର ପରିସରରେ ଚୁଡ଼ାଘଷା ଭୋଗ ପ୍ରସ୍ତୁତ କରି ଠାକୁରଙ୍କ ନିକଟରେ ଲାଗି କରିଥିଲେ ।
ଦର୍ଶନ ନିମନ୍ତେ ଦେବନୀତି ପାଇଁ ପୂର୍ବ ରାତ୍ର ୨ଟାରେ ଦ୍ୱାରଫିଟା, ରାତି ୨ଟା ୩୦ ମିନିଟରେ ମଙ୍ଗଳ ଆରତି, ରାତି ୨ଟା ୩୦ ରୁ ୩ଟା ମଧ୍ୟରେ ବେଶ, ମଇଲମ, ମର୍ଦ୍ଦନ, ଅବକାଶ ନୀତି ସମ୍ପନ୍ନ ହୋଇଥିଲା । ରାତି ୩ଟାରୁ ୪ଟା ପର୍ଯ୍ୟନ୍ତ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା । ଭୋର୍ ୪ଟା ଠାରୁ ସକାଳ ୬ଟା ମଧ୍ୟରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୂପ ଓ ମଦନମୋହନଙ୍କ ଭୋଗ ଅନୁଷ୍ଠିତ ହୋଇଥିଲା । ସକାଳ ୬ଟା ଠାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ମନ୍ଦିର କର୍ମଚାରୀ ଓ ସେବାୟତ ପରିବାର ଦର୍ଶନ କରିଥିଲେ । ସକାଳ ସାଢ଼େ ୬ଟା ଠାରୁ ସାହାଣମେଲା ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିଥିଲା । ପାଳିଆ ପରିବର୍ତନ ନିମନ୍ତେ ଅପରାହ୍ନ ୫ଟା ଠାରୁ ୬ଟା ପର୍ଯ୍ୟନ୍ତ ୧ ଘଂଟା ପାଇଁ ଦର୍ଶନ ବନ୍ଦ ରହିଥିଲା । ରାତି ସାଢ଼େ ୧୧ଟା ପରେ ପରବର୍ତି ଦେବନୀତି ଆରମ୍ଭ ହୋଇ ପହୁଡ଼ ପଡିଥିବା ଶ୍ରୀ ଶ୍ରୀ ସାକ୍ଷିଗୋପାଳ ସେବାୟତ ସଂଘ ସୂତ୍ରରୁ ପ୍ରକାଶ ।
ଏହା ବ୍ୟତୀତ ପଂଚସଖା ପଡିଆରେ ବିଭିନ୍ନ ପ୍ରକାର ଫୁଡ୍, ଅନ୍ୟାନ୍ୟ ଷ୍ଟଲରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଭଳିକି ଭଳି ଦୋଳି ନିକଟରେ ପିଲାଙ୍କ ଭିଡ଼ ଲାଗିଛି । ପଚଂସଖା ମୁକ୍ତାକାଶ ରଙ୍ଗମଂଚରେ ସଂନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀରାଧା ଉତ୍ସବ – ୨୦୨୨ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
