ଲଖିମପୁର ହିଂସା ମାମଲାରେ : ଦୁର୍ଘଟଣା ନୁହେଁ, ହତ୍ୟା ପାଇଁ ହୋଇଥିଲା ସୁପରିକଳ୍ପିତ ଷଡ଼ଯନ୍ତ୍ର
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲାଖିମପୁରରେ ହିଂସା ମାମଲାରେ ଏସଆଇଟି ଏକ ବଡ଼ ଖୁଲାସା କରିଛି। ଏସଆଇଟି ରିପୋର୍ଟ ଅନୁଯାୟୀ, ଲାଖିମପୁରରେ ହିଂସା ଏକ ଯୋଜନାବଦ୍ଧ ଷଡଯନ୍ତ୍ରରେ କରାଯାଇଥିଲା, ଏହା ଏକ ଦୁର୍ଘଟଣା ନୁହେଁ। ବର୍ତ୍ତମାନ ଲଖିମପୁର ହିଂସା ମାମଲାରେ ଦୁର୍ଘଟଣା ଧାରାକୁ ହଟାଇ ଅନ୍ୟ ଧାରା ଗୁଡିକ ଲାଗୁ କରାଯାଇଛି।
କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ଲଖିମପୁର ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଜେଲରେ ଅଛନ୍ତି। ପଚରାଉଚରା ପରେ ତାଙ୍କୁ ପୋଲିସ ଗିରଫ କରିଥିଲା। ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନି ଦାବି କରିଛନ୍ତି ଯେ, ଘଟଣା ସମୟରେ ତାଙ୍କ ପୁଅ ଆଶିଷ ମିଶ୍ର ଉପସ୍ଥିତ ନଥିଲେ। ଘଟଣାସ୍ଥଳଠାରୁ ସେ ବହୁତ ଦୂରରେ ଥିଲେ।
ଲାଖୀପୁର ହିଂସା ମାମଲାରେ ଉଭୟ ଏସଆଇଟି ଏବଂ ୟୁପି ସରକାରଙ୍କ କମିଶନ ଯାଞ୍ଚ କରୁଛନ୍ତି। ଉଭୟଙ୍କ ଅନ୍ତିମ ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ। ସିଜେଏମ କୋର୍ଟରେ ଏସଆଇଟି ତରଫରୁ ଏକ ଆବେଦନ କରାଯାଇଛି, ଯେଉଁଥିରେ ମାମଲାର ଧାରା ଗୁଡିକ ପରିବର୍ତ୍ତନ କରିବାକୁ କୁହାଯାଇଛି। ଏହି ଘଟଣା ହତ୍ୟା ଉଦ୍ଦେଶ୍ୟରେ କରାଯାଇଥିଲା। ଏହା ଏକ ଯୋଜନାବଦ୍ଧ ହିଂସାକାଣ୍ଡ ଥିଲା। ତେବେ ସମ୍ପୂର୍ଣ୍ଣ ରିପୋର୍ଟ କୋର୍ଟରେ ଦାଖଲ ହେଲାପରେ ହିଂସାକାଣ୍ଡର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଯିବ।
ହିଂସାକାଣ୍ଡକୁ ନେଇ ୟୁପି ତଥା ଦେଶରେ ରାଜନୀତି ସରଗରମ ହୋଇଥିଲା। ବିରୋଧୀ ଦଳ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରୁଛନ୍ତି। ଲଖିମପୁର ହିଂସା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ୟୁପି ସରକାରଙ୍କୁ ମଧ୍ୟ ଏହି ମାମଲାରେ ଆଫିଡେଭିଟ୍ ଦାଖଲ କରିବାକୁ ମଧ୍ୟ ପଡିଛି। ଏବେ ଏହି ମାମଲାରେ ଆଇପିସିର ଧାରା ୧୨୦ବି, ୩୦୭, ୩୪ ଏବଂ ୩୨୬କୁ ସଂଯୋଗ କରାଯାଇଛି। ଅକ୍ଟୋବର ୩ରେ ଲଖିମପୁରର ଟିକୁନିଆରେ ହୋଇଥିବା ଏହି ହିଂସାକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା।
