ଲଖିମପୁର ଖେରି ହିଂସା ମାମଲା : ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା
ଲକ୍ଷ୍ନୌ : ଶେଷରେ ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶୀଷ ମିଶ୍ର। ଦୀର୍ଘ ୧୨ ଘଣ୍ଟାର ପଚରାଉଚରା ପରେ ଗିରଫ ହୋଇଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର। ତାଙ୍କୁ ଲଖିମପୁର ଖେରି ମାମଲାର ତଦନ୍ତ କରୁଥିବା ଉତ୍ତର ପ୍ରଦେଶ କ୍ରାଇମବ୍ରାଞ୍ଚ ଗିରଫ କରିଛି। ୟୁପି ଲଖିମପୁର ହିଂସା ମାମଲାରେ ତଦନ୍ତ ଚାଲିଥିବା ବେଳେ ସେ ତଦନ୍ତରେ ସହଯୋଗ କରି ନଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି।
ଲଖିମ୍ପୁର ହିଂସାକାଣ୍ଡ ମାମଲା ତଦନ୍ତ କରିବା ପାଇଁ ଉତ୍ତର ପ୍ରଦେଶ ପୁଲିସ ଗଠନ କରିଥିବା ‘ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍’ (ଏସ୍ଆଇଟି) ନିକଟରେ ଆଜି ପୂର୍ବାହ୍ନ ପ୍ରାୟ ୧୦:୩୦ରେ ଆଶିଷ ହାଜର ହୋଇଥିଲେ। ଘଟଣାରେ ପଚାରଉଚରା କରିଥିଲା ରାଜ୍ୟ କ୍ରାଇମ୍ବ୍ରାଞ୍ଚ। ତେବେ ଆଶିଷ ହିଂସା ଦିନ(ଅକ୍ଟୋବର ୩) କେଉଁଠି ଥିଲେ ତାହା ଠିକ୍ ଭାବରେ ପୋଲିସ ପାଖରେ କହିପାରି ନଥିବା ହିଶେଷ ସୂତ୍ରରୁ ଜଣାପଡ଼ିଛି। ହିଂସା ଦିନ ସେ ସେଠାରେ ନଥିଲେ ବୋଲି ପ୍ରମାଣ କରିପାରି ନାହାନ୍ତି ଆଶିଷ ମିଶ୍ର। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଆଶିଷ ମିଶ୍ର ଅକ୍ଟୋବର ୩ ତାରିଖ ହିଂସା ଘଟିବା ସମୟରେ ଦିନ ୨.୩୩ରୁ ୩.୩୦ ପର୍ଯ୍ୟନ୍ତ କେଉଁଠି ଥିଲେ ତାହା ଠିକ୍ ଭାବରେ କ୍ରାଇମ୍ବ୍ରାଞ୍ଚ ଆଗରେ କହିପାରି ନାହାନ୍ତି। ପୋଲିସ ଦୁଇଥର ନୋଟିସ୍ ଦେବା ପରେ ସୁପ୍ରିମକୋର୍ଟ ଭର୍ତ୍ସନା କରିବା ପରେ ଆଜି କ୍ରାଇମ୍ବ୍ରାଞ୍ଚରେ ହାଜର ହୋଇଥିଲେ ଅଭିଯୁକ୍ତ ଆଶିଷ ମିଶ୍ର। ସଦର ବିଧାୟକ ଯୋଗେସ ବର୍ମାଙ୍କ ସୁଟରରେ ଯାଇଥିଲେ ଆଶିଷ। ଏବେ ବି କ୍ରାଇମ୍ବ୍ରାଞ୍ଚ ତାଙ୍କୁ ପଚରାଉଚରା କରୁଥିବା ବେଳେ ତାଙ୍କ ମୋବାଇଲ୍କୁ ସିଜ୍ କରାଯାଇଛି। ତେବେ ଏପର୍ଯ୍ୟନ୍ତ ଆଶିଷ ମିଶ୍ରଙ୍କୁ କାହିଁକି ଗିରଫ କରାଯାଇ ନାହିଁ ସେ ନେଇ ଗତକାଲି ୟୁପି ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଲାଗିବା ସତ୍ତ୍ୱେ ତାଙ୍କୁ କାହିଁକି ନୋଟିସ୍ କରାଯାଇଛି ବୋଲି କୋର୍ଟ ପଚାରିଥିଲେ।
