ଲଖିମପୁର ଖେରି ହିଂସା ମାମଲା : ସୁମିତ ଜୈସୱାଲ ଗିରଫ
ଲକ୍ଷ୍ନୌ : ୟୁପି ପୁଲିସକୁ ମିଳିଲା ବଡ଼ ସଫଳତା । ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ସୁମିତ ଜୈସୱାଲଙ୍କୁ ଗିରଫ କଲା ପୁଲିସ । ଏସଆଇଟି ସୁମିତ ଏବଂ ତାଙ୍କ ସହଯୋଗୀ ନନ୍ଦନ, ଶିଶୁପାଳ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏହା ପରେ ଖୁବ୍ ଶୀଘ୍ର ଏହି ଘଟଣାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।
ସୂଚନାନୁସାରେ, ସୁମିତ ସେହି ଗାଡ଼ି ଭିତରେ ବସିଥିଲେ, ଯେଉଁ ଗାଡ଼ିଟି ଆନ୍ଦୋଳନରତ ଚାଷୀଙ୍କ ଉପରେ ଚଢ଼ିଯାଇଥିଲା । ସେ ଜିପରୁ ବାହାରି ଦୌଡ଼ି ପଳାଉଥିବା ବେଳେ କିଛି ଲୋକ ତାଙ୍କ ଭିଡିଓ ରେକର୍ଡ କରିଦେଇଥିଲେ, ଯାହା ପରେ ଭାଇରାଲ ହୋଇଥିଲା । ଜିପ୍ର ଡ୍ରାଇଭର ଏବଂ ଅନ୍ୟମାନଙ୍କ ମୃତ୍ୟୁ ପରେ ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଭାବେ ସୁମିତ ଜୈସୱାଲ ହିଁ ପ୍ରକୃତ ତଥ୍ୟ ଦେଇପାରିବେ ଏସଆଇଟି ଆଶା ରଖିଛି । ଲଖିମପୁର ଖେରି ହିଂସା ଘଟଣାକୁ ନେଇ ଏସଆଇଟି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରିସାରିଛି । ତାଙ୍କ ସହିତ ଅଙ୍କିତ ଦାସକୁ ମଧ୍ୟ ପୁଲିସ ଗିରଫ କରିସାରିଛି । ଘଟଣା ଘଟିବା ସମୟରେ ଦୁହେଁ ଘଟଣାସ୍ଥଳରେ ନଥିବା ନେଇ କହିଥିଲେ ବି କିଛି ଚାଷୀ ସେମାନେ ଉପସ୍ଥିତ ଥିବା ନେଇ ଦାବି କରିଥିଲେ । ଏହାକୁ ନେଇ ପୁଲିସ ଦୁହିଁଙ୍କୁ ଗିରଫ କରିବା ସହ ସୁମିତଙ୍କ ଭିଡିଓ ଭାଇରାଲ ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି ।
