ନୂଆ ବର୍ଷରେ ଅଘଟଣ : କୁମ୍ଭକ୍ଷେତ୍ରର ବୁଡିଲା ହାଣ୍ଡି ଭେଳା, ଅଳ୍ପକେ ବର୍ତ୍ତିଲେ ୧୫ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ
ନୀଳଗିରି : ନୂଆ ବର୍ଷରେ ଅଘଟଣ। ଲୋକଙ୍କ ଜୀବନ ସହ ଖେଳୁଛି ନୀଳଗିରି ପ୍ରଶାସନ। ପୁଣି ବୁଡ଼ିଲା ବେଆଇନ ମାଟି ହାଣ୍ଡି ଭେଳା। ପାଣିରେ ଉବୁଟୁବୁ ପର୍ଯ୍ୟଟକ। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧିନ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଥିବା ପୁଣି କୁମ୍ଭକ୍ଷେତ୍ରରେ ଅଘଟଣ ଅଳ୍ପକେ ବର୍ତ୍ତିଲେ ୧୫ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ।

ସୂଚନା ମୁତାବକ, କୁଲଡିହା ଅଭୟାରଣ୍ୟ ପାଦ ଦେଶରେ ଥିବା ବାବନ୍ଧ ଏବଂ ଏହା ନିକଟରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ନିର୍ମିତ ବୁଗାଳିବନ୍ଧ କ୍ଷୁଦ୍ର ଜଳାଶୟ ମଧ୍ୟରେ ଥିବା ଏକ ଟାପୁରେ ବାଲେଶ୍ୱରର ଜଣାଶୁଣା ଚିତ୍ରଶିଳ୍ପୀ କେଶୁ ଦାଶ, କୁମ୍ଭକ୍ଷେତ୍ର ନାମରେ ଏକସଂସ୍ଥା ପ୍ରସ୍ତୁତ କରିଛନ୍ତି। କୁମ୍ଭକାର ବହୁଳ ଉକ୍ତ ଅଞ୍ଚଳରେ ଏକ ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟିକରି ଉକ୍ତ ଅଞ୍ଚଳର ପାରମ୍ପରିକ କଳା, ସଂସ୍କୃତି, ଚାଲିଚଳଣିକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଶିଳ୍ପୀ କେଶୁ ଦାସ ଅଞ୍ଚଳର କିଛି ଜାଗାକୁ ଲିଜ୍ ସୂତ୍ରରେ ନେଇ ଏବଂ କୁଲଡିହା ଅଭୟାରଣ୍ୟ, ସଂରକ୍ଷିତ ଜଙ୍ଗଲ ଓ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିନରେ ଥିବା ଜାଗାକୁ ନେଇ ଏକ ଇକୋ ଟୁରିଜିମ୍ ନିର୍ମାଣ କରିଛନ୍ତି। ଯେଉଁଥିରେ ଜଉ କଣ୍ଢେଇଙ୍କ କଳାକୃତ୍ତି ଦେଖିବା ସହିତ ବିଭିନ୍ନ ଆଦିବାସୀ କଳାକୃତ୍ତି, ରାତ୍ରିରହଣୀ ପାଇଁ ଟେଣ୍ଟ ଓ ଏକ ହୋଟେଲ ଖୋଲାଯାଇଛି। ଉକ୍ତ ସ୍ଥଳକୁ ଯିବା ପାଇଁ ପର୍ଯ୍ୟଟକ ମାନଙ୍କୁ ମାଟି ହାଣ୍ଡି ଓ ବାଉଁଶରେ ନିର୍ମିତ ଭେଳାରେ ଯିବା ପାଇଁ ପଡିଥାଏ । ସୋମବାର ୧୫ରୁ ଉର୍ଦ୍ଧ ପର୍ଯ୍ଯଟକଙ୍କୁ ଉକ୍ତ ଭେଳାରେ ଯିବା ସମୟରେ ଭେଳାଟି ହଠାତ ଭାଙ୍ଗିଯାଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ସବୁଠୁଁ ଗୁରୁତ୍ଵପୂର୍ଣ୍ଣ କଥା ବ୍ୟବସାୟିକ ଉଦ୍ଦେଶ୍ୟରେ ପର୍ଯ୍ୟଟକ ମାନଙ୍କ ଠାରୁ ଅର୍ଥ ନେଇ ବ୍ୟବସାୟ କରାଯାଉଥିବା ବେଳେ ପ୍ରଶାସନ ଠାରୁ ଅନୁମତି ନ ନେଇ, ଗଭୀର ଜଳାଶୟରେ ମାଟିହାଣ୍ଡି ଭଳି ଭେଳାରେ ପର୍ଯ୍ୟଟକଙ୍କୁ କିଭଳି ବିନା କୌଣସି ଲାଇଫ ଜ୍ୟାକେଟରେ ବୁଲିବା ପାଇଁ ଅନୁମତି ଦିଆଯାଉଥିଲା ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ପ୍ରକୃତିପ୍ରେମୀ ଏହାକୁ ନିନ୍ଦା କରିବା ସହିତ ଇକୋସେନସିଟିଭ ଜୋନରେ କିପରି ହୋଟେଲ ଓ ରାତ୍ରିରହଣୀ ଟେଣ୍ଟ ଖୋଲାଯାଉଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅକାତ କାତ ପାଣିରେ ମାଟି ହାଣ୍ଡିରେ ଭେଳା ନିର୍ମାଣ କରି ନୌବିହାର କରାଯାଉଥିଲା। ପୂର୍ବରୁ ଥରେ ଡଙ୍ଗା ଭାଙ୍ଗି ବୁଡିଥିବାବେଳେ ଅଳ୍ପକେ ବର୍ତ୍ତିଥିଲେ ପର୍ଯ୍ୟଟକ। ଲୋକଙ୍କ ମଧ୍ୟରେ ସାହାସ ଯୋଗାଇବା ପାଇଁ ଏହି ହାଣ୍ଡି ଭେଳାରେ ନୀଳଗିରି ବିଡ଼ିଓ ଓ ଜିଲ୍ଲାସ୍ତରୀୟ ଜଣେ ସରକାରୀ ଅଧିକାରୀ ବିନା ସେପ୍ଟି ଜ୍ୟାକେଟରେ ନୌବିହାର କରି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଇଥିଲେ। ଆଜିର ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ଘଟଣା ସ୍ଥଳରେ ନୀଳଗିରି ପୋଲିସ ଜିଲା ଫାୟାର ଟିମ୍ ଓ ଅଫିସର ପୂର୍ଣଚନ୍ଦ୍ର ମାରାଣ୍ଡି ଏବଂ ନୀଳଗିରି ତହସିଲଦାର ଦୀପ୍ତିମୟୀ ବେହେରା ଜାଇ ତଦନ୍ତ କରିଥିଲେ। ଜିଲାପାଳ ଉକ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳବାସୀ ଦାବିକରିଛନ୍ତି ।
