କୁଲଡ଼ିହା ବନବିଭାଗର ଚଢ଼ାଉ, ହଜାର ହଜାର ଟଙ୍କାର କାଠ ଜବତ
ଚଳନ୍ତା କରତକଳ ନେଇ ଛତ୍ରଭଙ୍ଗ ଦେଲେ ଚୋରା ବେପାରୀ
ନୀଳଗିରି : ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଚୋରା ବେଆଇନ କରତ କଳ ବୃଦ୍ଧି ହେବାରେ ଲାଗିଛି । ବାଲେଶ୍ୱର ଡିଏଫଓଙ୍କ ନିର୍ଦେଶରେ କୁଲଡ଼ିହା ବନବିଭାଗ ଓ ପୋଲିସ ସହଯୋଗରେ ଚଳନ୍ତା (ମୋଭେବୁଲ୍) କରତ କଳ ଉପରେ ଚଢ଼ାଉ ହୋଇଛି । ଚଢ଼ାଉରେ ହଜାର ହଜାର ଟଙ୍କାର କାଠ ଜବତ ହୋଇଥିବା ବେଳେ ଚୋରା ବେପାରୀମାନେ ଛତ୍ରଭଙ୍ଗ ଦେଇଛନ୍ତି ।
ତେଲିପାଳ ପଞ୍ଚାୟତର ଗୋହିରା ଠାରେ କିଛି ଦିନ ହେବ ଏକ ତମ୍ବୁତଳେ ଚୋରା ଚଳନ୍ତା ବେଆଇନ କରତକଳ ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଏନେଇ ଜିଲା ବନଖଣ୍ଡ ଅଧିକାରୀ ବିମଳ କୁମାର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଏକ ଟିମ ଓ ବରହମପୁର ଥାନା ସହଯୋଗରେ ଚଢ଼ାଉ କରାଯାଇଥିଲା । ରବିବାର ପୂର୍ବାହ୍ନ ଅତର୍କିତ ଭାବେ ଘଟଣାସ୍ଥଳରେ ପହଞ୍ôଚବା ପୂର୍ବରୁ ଚଳନ୍ତା କରତକଳ ନେଇ ଚୋରା ବେପାରୀମାନେ ଛତ୍ରଭଙ୍ଗ ଦେଇଥିଲେ । ଶେଷରେ ବନବିଭାଗ ଖାଲି କିଛି କାଠ ଜବତକରି ଫେରିଛି । ସେହିପରି ୨୧ସିଫଟ୍ ଶାଳ, ଆକାଶିଆ, ନିମ୍ବ, ଅର୍ଜୁନ ଆଦି କାଠ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ଭିତରେ ହେବ ବୋଲି ଜଣାପଡ଼ିଛି । ଏହି ଚଢ଼ାଉରେ ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀ, ପରମାନନ୍ଦ ନାୟକ, ଉମାକାନ୍ତ ଜେନା, ଫରେଷ୍ଟ ଗାର୍ଡ଼ ଓ ସବୁଜ ବାହିନୀ ସାମିଲ୍ ଥିଲେ । ସୂଚନା ଯେ, ଚଳନ୍ତା କରତକଳଟି ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନରେ ରହିନଥାଏ । ଗୋଟିଏ, ଦୁଇଦିନ ତଥା ଦୁଇରୁ ଚାରିଦିନ ରହି ଉକ୍ତ ଅଞ୍ଚଳରେ ଚୋରା ଗଛ କାଟିବା ସହ ବନବିଭାଗର ଚଢ଼ାଉ ପୂର୍ବରୁ ଅନ୍ୟତ୍ର ପଳାଇଯାଇଥାଏ ।
