କୁଡୁମିଜାତିକୁ ଆଦିବାସୀ ବର୍ଗରେ ପୁନଃ ସାମିଲ ଦାବୀ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନକଲା କୁଡୁମୀ ସେନା ମହିଳା ମୋର୍ଚ୍ଚା
ବାରିପଦା : ୧୯୫୦ ମସିହା ପର୍ଯ୍ୟନ୍ତ କୁଡୁମି (ମହାନ୍ତ) ଜାତି ଅନୁସୂଚିତ ଜନଜାତି ବର୍ଗ ଭାବେ ମାନ୍ୟତା ପାଇ ଆସୁଥିବା ବେଳେ କୌଣସି କାରଣ ନଦର୍ଶାଇ ୧୯୫୦ ସେପ୍େଟମ୍ବର ମାସ ୬ ତାରିଖ ଦିନ ଉକ୍ତ ମାନ୍ୟତା ପ୍ରତ୍ୟାହାର କରି ନିଆଯିବା ଫଳରେ କୁଡୁମୀ ଲୋକମାନେ ସାମାଜିକ, ଅର୍ଥନୈତିକ ତଥା ସାଂସ୍କୃତିକ କ୍ଷେତ୍ରରେ ଯଥେଷ୍ଟ ପଛରେ ରହିଯାଇଛନ୍ତି । କୁଡୁମି ଜାତି କୁ ପୁନର୍ବାର ଆଦିବାସୀ ବର୍ଗରେସାମିଲ କରିବା ପାଇଁ ଜୈମୁନି କୁମାର ମହାନ୍ତ ଙ୍କ ନେତୃତ୍ୱ ରେ କୁଡୁମି ସେନା ଦୀର୍ଘ ବର୍ଷ ଧରି ଆନ୍ଦୋଳନ ଜାରିରଖୁଛି । ସେହି କ୍ରମରେ ପଡୋଶୀ ଝାଡ଼ଖଣ୍ଡ, ବିହାର, ଏବଂ ପଶ୍ଚିମବଙ୍ଗର ଆନ୍ଦୋଳନ କାରୀମାନେ ମିଳିତ ଭାବେ ନିକଟରେ ପାର୍ଲାମେଂଟ ଘେରାଓ ଆନ୍ଦୋଳନ ରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଅବସରରେ କୁଡୁମି ମହିଳା ସେନାର ସଭାନେତ୍ରୀ ସୁଜାତା ମହାନ୍ତଙ୍କ ନେତୃତ୍ୱରେ ପ୍ରେମଲତା ମହାନ୍ତ, ସୁକୁମାରୀ ମହାନ୍ତ, ଶାନ୍ତିଲତା ମହାନ୍ତ ଓ ପାର୍ବତୀ ମହାନ୍ତ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ଭବନ ଠାରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି କୁଡୁମି ସେନା ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ସାକ୍ଷାତ ଆସନ୍ତା ଦିନ ମାନଙ୍କରେ କୁଡୁମିଜାତିକୁ ତାର ହକ ପ୍ରଦାନ କରିବାରେ ଏକ ନୂତନ ମୋଡ଼ ଦେବ ବୋଲି ଶ୍ରୀ ଜୈମୁନି କୁମାର ମହାନ୍ତ ଆଶାବ୍ୟକ୍ତ କରିଛନ୍ତି ।
