ନୂଆ ବାଲେଶ୍ବର ପରିଷଦର ପ୍ରକାଶ ପାଇବ ‘କୋଶମ୍ବିନୀ’
କୋଭିଡ ପାଇଁ କୋଶମ୍ବ ମେଳା ସ୍ଥଗିତ
ରେମୁଣା : ଗତ ଦୁଇ ବର୍ଷ ହେଲା ବସନ୍ତ ପଞ୍ଚମୀ ଅବସରରେ ରେମୁଣା ଗୋଲେଇ ନିକଟରେ ନୂଆ ବାଲେଶ୍ବର ପରିଷଦ ତରଫରୁ ୪ ଦିନିଆ କୋଶମ୍ବ ମେଳା ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ସରକାରଙ୍କ କୋରନା କଟକଣାକୁ ଧ୍ୟାନ ଦେଇ କୋଶମ୍ବ ମେଳା ସ୍ଥଗିତ କରାଯାଇ କେବଳ ସରସ୍ବତୀ ପୂଜା କରାଯିବ ବୋଲି ଆଜି ପୂର୍ବାହ୍ନରେ ପରିଷଦର ସଭାପତି ଭଗବାନଦାସ ଖଣ୍ଡେଲୱଲଙ୍କ ସଭାପତିତ୍ୱରେ ଦଧିବାମନ ନଗର ପାଣିପମ୍ପ ହାଉସ ଠାରେ ପରିଷଦର ଏକ ସାଧାରଣ ବୈଠକରେ ସିଦ୍ଧାନ୍ତ ନିଆଗଲା । ୪ ଦିନିଆ ମେଳା ଆୟୋଜନ ସ୍ଥଗିତ ଥିବା ବେଳେ ବର୍ଷ ତମାମ ରକ୍ତଦାନ ଶିବିର, ବୃକ୍ଷରୋପଣ, ସଚେତନତା ମୂଳକ ପ୍ରତିଯୋଗିତା ଓ କର୍ମଶାଳା ପରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ପରିଷଦର ମୁଖପାତ୍ର କୋଶମ୍ବିନୀ ପ୍ରକାଶ କରାଯିବା ପାଇଁ ସିଦ୍ଧାନ୍ତ ନିଆଗଲା ।
ଏହି କୋଶମ୍ବିନୀ ମୁଖପତ୍ରରେ ମୁଖ୍ୟତଃ ସ୍ଥାନୀୟ ପ୍ରାବନ୍ଧିକ, ଆଲୋଚକ, ସମୀକ୍ଷକ, ଗାଳ୍ପିକ, କବି ଓ ପ୍ରତିଭାଧାରୀଙ୍କ ଲେଖା ପ୍ରକାଶ ପାଇବ ବୋଲି ଆବାହକ ତଥା ସଂପାଦକ ଶିଳ୍ପୀ କେଶୁଦାସଙ୍କ ମତକୁ ସମସ୍ତେ ମୋହର ମାରିଥିଲେ । ଏହି ବୈଠକରେ ପରିଷଦର ଉପସଭାପତି ବଳଭଦ୍ର ଶତପଥୀ ଓ ପ୍ରଦୀପ୍ତ ଦାସ, ସହସଂପାଦକ ଜୟକୃଷ୍ଣ ସାହୁ, କୋଷାଧ୍ୟକ୍ଷ ମୂରଲୀଧର ଦାଶ, ଉପଦେଷ୍ଟା ରବିନ୍ଦ୍ର ଜୈନ, ନିଶାକର ନାୟକ, ଡ କରୁଣାକର ରାଉଳ, ସନ୍ତୋଷ ନାୟକ ସହ ସଦସ୍ୟ ଉମାକାନ୍ତ ବେହେରା, ଦେବେଶ ପରମାଣିକ, ଲିଙ୍ଗରାଜ ନାୟକ, କରୁଣାକର ମହାନ୍ତି, କମଳ ବିହାରୀ ଦାସ, ରତିକାନ୍ତ ବେହେରା, ଚନ୍ଦ୍ରଶେଖର ପରିଡ଼ା, ହରିହର ଦାସ, ଗୁରୁପ୍ରସାଦ, ଶୁଭମ ଦାସ ପ୍ରମୁଖ ଉପସ୍ଥିତ ହୋଇ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ ।
