କୋରାପୁଟ-ବିଶାଖାପାଟଣା ରେଳଯାତ୍ରାକୁ ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ
କୋରାପୁଟ: କୋଭିଡ୍ ପାଇଁ ବନ୍ଦ ରହିଥିବା କୋରାପୁଟ-ବିଶାଖାପାଟଣା ରେଳଯାତ୍ରା ପୁଣିଥରେ ଆରମ୍ଭ ହୋଇଛି । ଶୁକ୍ରବାର ଅପରାହ୍ନ ୪ଟା ସମୟରେ ପତାକା ଦେଖାଇ ରେଳ ଯାତ୍ରା ଆରମ୍ଭ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କୋଭିଡ କଟକଣା ଯୋଗୁ କୋରାପୁଟ ଠାରୁ ଭିଶାଖାପାଟଣା ଭାୟା ରାୟଗଡା ଦେଇ ଯାଉଥିବା ଟ୍ରେନ ଯାତ୍ରା ଅନେକ ଦିନ ଧରି ବନ୍ଦ ରହିଥିଲା । ଫଳରେ ଲୋକମାନଙ୍କୁ ଯାତ୍ରା ପାଇଁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଥିଲା । ହେଲେ ଆଜି ଏହି ସମସ୍ୟାର ସମାଧାନ ହୋଇଛି । ରେଳଯାତ୍ରା ପୁଣି ଆରମ୍ଭ ହୋଇଛନ୍ତି ।
ସୂଚନା ଅନୁସାରେ, ଦିନିକିଆ କୋରାପୁଟ ଗସ୍ତରେ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଆଜି ସକାଳୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ କୋରାପୁଟ ପହଂଚିଥିଲେ । ଏହାପରେ ମାଲକାନଗିରି ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ଅପରାହ୍ନ ୪ଟା ସମୟରେ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଫେରି କୋରାପୁଟ ରେଳ ଷ୍ଟେସନରେ ସବୁଜ ପତାକା ଦେଖାଇ ଟ୍ରେନ୍ ଯାତ୍ରା ଆରମ୍ଭ କରିଥିଲେ । ଏହି ଅବସରରେ ଷ୍ଟେସନରେ ୱାଲଟର ଡିଆରଏମ ଅନୁପ କୁମାର ସତପଥି, ଏଜିଏମ ପ୍ରମୋଦ କୁମାର ଜେନାଙ୍କ ଭଳି ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ସୂଚନା ଅନୁସାରେ, ଟ୍ରେନଟି ପ୍ରତ୍ୟେକ ରେଳଷ୍ଟେସନରେ ରହିବା ସହ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଚାଲିବ । ଏନେଇ ଡିଆରଏମ ଅନୁପ ଶତପଥୀ ସୂଚନା ଦେଇଛନ୍ତି । ପ୍ରତ୍ୟେକ ଷ୍ଟେସନରେ ଟ୍ରେନ ରହଣୀକୁ ନେଇ ବିଭିନ୍ନ ସମୟରେ ଲୋକମାନେ ଦାବି କରୁଥିଲେ । ତେଣୁ ଏହାକୁ ଆଖି ଆଗରେ ପୂର୍ବତଟ ରେଳବାଇ ଡିଏମୟୁ ଚଳାଇବା ନେଇ ନିଷ୍ପତି ନେଇଛି ।
