ପୁରାଣ ଓଡିଶୀ ଓ କଥକରେ ଶାସ୍ତ୍ରୀୟତାର ଭାବାବେଗ ଆରମ୍ଭ ହେଲା କୋଣାର୍କ ଉତ୍ସବ
ଭୁବନେଶ୍ୱର : କୋଣାର୍କ ସୂର୍ଯ୍ୟମନ୍ଦିର ପାଦ ଦେଶରେ ଆରମ୍ଭ ହୋଇଛି ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ଉତ୍ସବ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସହ ଓଡିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ଆୟୋଜିତ ଏହି ୫ ଦିନିଆ ଉତ୍ସବକୁ ଓଡିଆ ଭାଷା-ସାହିତ୍ୟ-ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ବିବିଧ ଆଲୋକମାଳାରେ ସଜ୍ଜିତ କୋଣାର୍କ ମୁକ୍ତାକାଶ ମଂଚ ଏହାପରେ ପ୍ରଥମ ସନ୍ଧ୍ୟାରେ ଶାସ୍ତ୍ରୀୟ ଓଡିଶୀ ଓ କଥକ ନୃତ୍ୟର ମନଛୁଆଁ ପରିବେଷଣକୁ ପ୍ରତ୍ୟକ୍ଷ କରିଥିଲା । ପ୍ରଥମ ପ୍ରସ୍ତୁତିରେ ମାଲେସିଆରୁ ଆସିଥିବା ସୂତ୍ର ଫାଉଣ୍ଡେସନ ର ଶିଳ୍ପୀଗଣଓଡିଶୀ ନୃତ୍ୟରେ ପରଶି ଦେଇଥିଲେ ‘ଜୟ ରାମ’ । ରାମାୟଣର କଥାବସ୍ତୁକୁ ନେଇ ‘ଶ୍ରୀରାମ ଧ୍ୟାନ’ ରାମଲୀଳା ଆଧାରିତ ସ୍ଥାୟୀ ନୃତ୍ୟ ପାଟବ ସହ ‘ସୀତା ସ୍ୱୟମ୍ବର’ ର ସୁନ୍ଦର ଅବତାରଣା କରିଥିଲେ ସୂତ୍ର ଫାଉଣ୍ଡେସନର ଶିଳ୍ପୀଗଣ । ଦ୍ୱିତୀୟ ଚରଣରେ କଥକର ବିଖ୍ୟାତ ଗୁରୁ ରାଜେନ୍ଦ୍ର ଗଙ୍ଗାନି ଓ ସାଥି ଶାସ୍ତ୍ରୀୟ ଭିତ୍ତିରେ ‘ଛନ୍ଦ-ଲୟ-ଗତି’ ସରଞ୍ଚନାକୁ ପରଶି ଦେଇଥିଲେ । ‘ ଗୁରୁ କୁନ୍ଦନଲାଲ ଗଙ୍ଗାନି ଫାଉଣ୍ଡେସନ ‘ , ନୂଆଦିଲ୍ଲୀର ଶିଳ୍ପୀ ମାନେ ନିଖୁଣ ଭାବରେ କଥକ ନୃତ୍ୟକୁ ଭେଟି ଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ ଓ ଡ଼. ନାଜିଆ ଆଲାମ । ଓଡିଶା ସଂଗୀତ ନାଟକ ଏକାଡେମୀ ର ସଚିବ ପ୍ରବୋଧ ରଥ ଓ ଡ଼. ସଂଗୀତା ଗୋସାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଇଲେକ୍ଟ୍ରୋନିକ , ସୂଚନା , ପ୍ରଯୁକ୍ତି , କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା , ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ , ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର , ପର୍ଯ୍ୟଟନ ଉନ୍ନୟନ ନିଗମ ଅଧକ୍ଷ ଡ଼. ଲେଲିନ୍ ମହାନ୍ତି , ଜିଲ୍ଲାପାଳ, ପୁରୀ ସମର୍ଥ ବର୍ମା , ପର୍ଯ୍ୟଟନବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ।
