ଦେଶର ସର୍ବକାଳୀନ ଶ୍ରେଷ୍ଠ ଟେଷ୍ଟ କ୍ୟାପଟେନ କୋହଲି : ଇରଫାନ ପଠାନ
ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନଙ୍କ ବଡ ବୟାନ । ଏଯାବତ ଟେଷ୍ଟ କ୍ରିକେଟରେ ଭାରତର ନେତୃତ୍ବ ନେଇଥିବା ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ଶ୍ରେଷ୍ଠ ଅଧିନାୟକ ବୋଲି କହିଛନ୍ତି ପଠାନ ।
ବ୍ଲାକ୍କ୍ୟାପସ ଟିମକୁ ୩୭୨ ରନ୍ର ବଡ ବ୍ୟବଧାନରେ ବିରାଟ କୋହଲିଙ୍କ ଟିମ ହରାଇବା ପରେ ଇରଫାନ ଟ୍ବିଟ୍ରେ କ୍ୟାପଟେନ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ଟ୍ବିଟ୍ରେ ପଠାନ ଲେଖିଛନ୍ତି, ବିରାଟ କୋହଲି ଭାରତର ଶ୍ରେଷ୍ଠ ଟେଷ୍ଟ କ୍ୟାପଟେନ୍ । ୫୯.୦୯ ବିଜୟ ପ୍ରତିଶତ ସହ କୋହଲି ଶୀର୍ଷରେ ରହିଛନ୍ତି ଅନ୍ୟପଟେ ଦ୍ବିତୀୟ ସ୍ଥାନରେ ରହିଥିବା କ୍ୟାପଟେନଙ୍କ ବିଜୟ ପ୍ରତିଶତ ୪୫ ପ୍ରତିଶତ ରହିଛି ।
ମୁମ୍ବାଇ ଟେଷ୍ଟ ବିଜୟ ସହ ଘରୋଇ ମାଟିରେ ଭାରତ ଲଗାତାର ୧୪ତମ ସିରିଜ ବିଜୟୀ ହୋଇଛି ଓ କୋହଲିଙ୍କ ନେତୃତ୍ବରେ ଲଗାତାର ୧୧ଟି ସିରିଜ ବିଜୟୀ ହୋଇଛି ।
ଘରୋଇ ସିରିଜ ବିଜୟ ସହ ଭାରତ ୧୨ ପଏଣ୍ଟ ହାସଲ କରି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ୨୦୨୧/୨୩ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି । ୧୨୪ ପଏଣ୍ଟ ସହ ICC ଟେଷ୍ଟ ମାନ୍ୟତାର ଶୀର୍ଷକୁ ଭାରତ ଫେରିଥିବାବେଳେ, ନ୍ୟୁଜିଲାଣ୍ଡ ୧୨୧ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ତୃତୀୟ, ଇଂଲଣ୍ଡ ଚତୁର୍ଥ ଓ ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ଷଷ୍ଠ, ଶ୍ରୀଲଙ୍କା ସପ୍ତମ, ୱେଷ୍ଟଇଣ୍ଡିଜ ଅଷ୍ଟମ, ବାଂଲାଦେଶ ନବମ ଓ ଜିମ୍ବାୱେ ଦଶମ ସ୍ଥାନରେ ରହିଛନ୍ତି ।
