ପଡିଆରେ ଅଭ୍ୟାସ କଲେ କୋହଲି, ଖେଳିପାରନ୍ତି ତୃତୀୟ ଟେଷ୍ଟ
ଜୋହାନ୍ସବର୍ଗ : ବିରାଟ କୋହଲିଙ୍କୁ ନେଇ ଜୋହାନ୍ସବର୍ଗରୁ ଟିମ୍ ଇଣ୍ଡିଆ କ୍ୟାମ୍ପକୁ କିଛିଟା ଆଶ୍ବସ୍ତି ମିଳିଛି । ବୁଧବାର ତୃତୀୟ ଖେଳ ଆରମ୍ଭ ପୂର୍ବରୁ ଟିମ୍ ସହ ବିରାଟ କୋହଲି ଅଭ୍ୟାସ କରୁଥିବା ନଜର ଆସିଛନ୍ତି । ଅଭ୍ୟାସ ସମୟରେ କୋହଲିଙ୍କ ସହ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ରହିଥିଲେ । ମୁଖ୍ୟ କୋଚ୍ଙ୍କ ଠାରୁ କୋହଲି ଥ୍ରୋଡାଉନ୍ ନେଉଥିବା ଦେଖିବାକୁ ମିଳିଥିଲା । କୋହଲିଙ୍କ ଭାବଭଙ୍ଗୀରୁ ସେ ସୁସ୍ଥ ଥିବା ଜଣା ପଡ଼ୁଥିଲେ । ଏହାରି ମଧ୍ୟରେ ସେ କିଛି ସମୟ ଶାର୍ଦ୍ଦୁଲ ଠାକୁରଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ନେଟ୍ରେ କୋହଲି କିଛି ସମୟ ସଟ୍ ମଧ୍ୟ ଖେଳିଥିଲେ ।
ଜୋହାନ୍ସବର୍ଗରେ କୋହଲି ନିଜର ୯୯ତମ ଟେଷ୍ଟ ମ୍ୟାଚ ଖେଳି ଥାଆନ୍ତେ । ତେବେ ଏହାପୂର୍ବରୁ ସେ ଆହତ ହୋଇଥିଲେ । ଫଳରେ ତାଙ୍କ ସ୍ଥାନରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ କେ.ଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଥିଲା । କୋହଲିଙ୍କ ଅଭ୍ୟାସ ଆରମ୍ଭ ପରେ ସେ ତୃତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ସହ ସାମିଲ ହେବା ନେଇ ଆଶା ରହିଛି । ଭାରତ ଖେଳସୂଚୀ ଅନୁଯାୟୀ ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ କୋହଲି ନିଜର ୧୦୦ତମ ଟେଷ୍ଟ ମ୍ୟାଚ ଖେଳି ପାରନ୍ତି । ଏହି ଟେଷ୍ଟ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ ଭେଟିବ । ଫେବୃଆରୀ ୨୫ ତାରିଖରେ ଏହି ସିରିଜ ଆରମ୍ଭ ହେବ ।
