ପୂଜା ସମୟରେ ଦେବତାଙ୍କୁ ପରିକ୍ରମା ଦ୍ୱାରା ପ୍ରାପ୍ତି ହୁଏ ଅକ୍ଷୟ ପୁଣ୍ୟ ! ଜାଣନ୍ତୁ କେତେଥର କରାଯାଏ ପରିକ୍ରମା ଓ କିପରି
ମନ୍ଦିରରେ ହେଉ ଅଥବା ଘରେ ପୂଜାର୍ଚ୍ଚନା ସମୟରେ ଆଳତୀ ଓ ପରିକ୍ରମାର ଖୁବ ମହତ୍ତ୍ୱ ରହିଛି। ମାତ୍ର ଏହି ୨ଟି ମୁଖ୍ୟ କାର୍ଯ୍ୟ ସହ ଜଡିତ କିଛି କଥା ରହିଛି, ଯାହା ହୁଏତ ସଭିଏଁ ଜାଣିନଥିବେ।
ପୂଜାପାଠ କରିବା ସମୟରେ ଭଗବାନଙ୍କୁ ଧ୍ୟାନରେ କରି ପରିକ୍ରମା କରିବା ଉଚିତ। ପରିକ୍ରମା ହେଉଛି ଯେକୌଣସି ଦେବାଦେବୀଙ୍କ ପୂଜାର ଏକ ଗରୁତ୍ୱପୂର୍ଣ୍ଣ ଅଙ୍ଗ। ପରିକ୍ରମା କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଜାଣନ୍ତୁ ପରିକ୍ରମାର ନିୟମ।
ମୂର୍ତ୍ତି ଏବଂ ମନ୍ଦିରର ପରିକ୍ରମା ନିଜର ଦକ୍ଷିଣହସ୍ତ ଯେଉଁ ପଟେ ସେହି ଦିଗରେ କରିବା ଉଚିତ। ଯେଉଁ ପ୍ରକାରେ ଘଣ୍ଟା ଚାଲେ ସେଭଳି ପରିକ୍ରମା କରିବା ଉଚିତ। ବାମହସ୍ତ ଦିଗରେ ପରିକ୍ରମା କରିବା ଦ୍ୱାରା ଦ୍ୱାରା ସକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ। ତେଣୁ ଏହି ଦିଗରେ ପରିକ୍ରମା କରିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ପରିକ୍ରମା ସମୟରେ ସର୍ବଦା ଭବାନଙ୍କ ନାମ ସ୍ମରଣ କରନ୍ତୁ।
କେଉଁ ଦେବାଦେବୀଙ୍କର କେତେଥର ପ୍ରାର୍ଥନା କରିବା ଉଚିତ :
ସୂର୍ଯ୍ୟଦେବଙ୍କର ୭ ଥର ପରିକ୍ରମା କରିବା ଉଚିତ। ଶ୍ରୀଗଣେଶଙ୍କର ୩ ଥର ପରିକ୍ରମା କରିବା ଉଚିତ। ପ୍ରଭୁ ବିଷ୍ଣୁ ଓ ତାଙ୍କ ଅନ୍ୟ ଅବତାରଙ୍କର ୪ ଥର ପରିକ୍ରମା କରିବା ଉଚିତ। ମା’ଦୁର୍ଗାଙ୍କର ଥରେ ପରିକ୍ରମା କରିବା ଉଚିତ। ଶିବଲିଙ୍ଗଙ୍କ ନିକଟରେ ଅଧା ପରିକ୍ରମା କରିବା ଉଚିତ। ପ୍ରଭୁ ହନୁମାନଙ୍କର ୩ଥର ପରିକ୍ରମା କରିବା ଉଚିତ।
ମନ୍ଦିର ଓ ଗୃହରେ ପୂଜା କରିବା ପରେ ଆଳତୀ କରିବାର ବିଧି ରହିଛି। କର୍ପୁରରେ ଅଗ୍ନି ସଂଯୋଗ କରି ଭଗବାନଙ୍କ ସମ୍ମୁଖରେ ଏହାକୁ ବୁଲାଇ ଅର୍ପଣ କରାଯାଇଥାଏ। ଘିଅର ଦୀପ, ତେଲର ଦୀପରେ ମଧ୍ୟ ଏହି ଆଳତୀ କରାଯାଇଥାଏ। ଆଳତୀ କରିବାର କେତେକ ନିର୍ଦ୍ଦିଷ୍ଟ କାରଣ ରହିଛି। ଏହା ସହ ଆଳତୀ ସରିବା ପରେ ଆମେ ଏହା ଉପରେ କେତେ ଥର ହାତ ବୁଲାଇ ନିଜ ମସ୍ତକରେ ଲଗାଇବା ଉଚିତ, ଏହାର କ’ଣ ଶୁଭଫଳ ରହିଛି, ତାହା ହୁଏତ ସଭିଏଁ ଜାଣିନଥିବେ।
ଜାଣନ୍ତୁ କ’ଣ ରହିଛି ଏହାର କାରଣ ….
ଶାସ୍ତ୍ର ଅନୁଯାୟୀ, ଆଳତୀ କରୁଥିବା ବ୍ୟକ୍ତି ପରମାତ୍ମାଙ୍କ ନଜରରେ ଆସିଥାଏ। ଯଦି ପୂଜାର୍ଚ୍ଚନା କରିବା ସମୟରେ କିମ୍ବା ମନ୍ତ୍ର ଉଚ୍ଚାରଣ କରିବା ସମୟରେ କୌଣସି ଭୁଲ ହୋଇଯାଏ ତେବେ, ଆଳତୀ କରିବା ଦ୍ୱାରା ତାହାକୁ ଭଗବାନ କ୍ଷମା କରିଦେଇଥାଆନ୍ତି। ଆଳତୀ କରିବା ସମୟରେ ଓଁ ଆକୃତିରେ ସର୍ବଦା କରିବା ଉଚିତ। ଏହା ଦ୍ୱାରା ସମସ୍ତ ଦେବାଦେବୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଜୀବନରେ ସମସ୍ତ ପ୍ରକାରର ସଫଳତା ପ୍ରାପ୍ତି ହୋଇଥାଏ।
ଦେବୀଦେବତାଙ୍କ ସମ୍ବନ୍ଧ ଯେଉଁ ସଂଖ୍ୟା ସହ ରହିଛି ସେତିକି ସଂଖ୍ୟାରେ ଆଳତୀ କରିବା ଉଚିତ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେପରି ଭଗବାନ ବିଷ୍ଣୁଙ୍କ ସମ୍ବନ୍ଧ ୧୨ ସଂଖ୍ୟା ସହ ରହିଛି, ତାଙ୍କ ନିକଟରେ ୧୨ ଥର ଆଳତୀ କରିବା ଉଚିତ।
ଭଗବାନ ସୂର୍ୟ୍ୟଙ୍କ ୭ଟି ଅଶ୍ୱ ଅନୁଯାୟୀ ତାଙ୍କର ୭ ସଂଖ୍ୟା ସହ ସମ୍ବନ୍ଧ ରହିଛି। ତେଣୁ ତାଙ୍କ ନିକଟରେ ୭ ଥର ଆଳତୀ କରିବା ଉଚିତ।
ମା’ ଦୁର୍ଗାଙ୍କର ନବମୀର ଖୁବ ମାନ୍ୟତା ରହିଛି। ତେଣୁ ତାଙ୍କ ନିକଟରେ ୯ ଥର ଆଳତୀ କରିବା ଉଚିତ।
ଆଳତୀ କରିବା ପରେ ଆମେ ଆଳତୀ ଉପରେ ହାତ ବୁଲାଇ ଏହାକୁ ନିଜ ମସ୍ତକରେ ଲଗାଇଲେ ପ୍ରଭୁଙ୍କ କୃପା ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ମାତ୍ର ଆଳତୀ ଉପରେ ସର୍ବଦା ୩, ୫ ଓ ୭ ଥର ହାତ ବୁଲାଇ ଏହାକୁ ମସ୍ତକରେ ଲଗାଇବା ଉଚିତ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
