ଦୂର ହେଲା ଦ୍ଵନ୍ଦ! ଦକ୍ଷିଣଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଓପନିଂ ବ୍ୟାଟିଂ କରିବେ ଏହି ଖେଳାଳି
ପର୍ଲ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଠାରୁ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ । ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ପକ୍ଷରୁ ଓପନିଂ ବ୍ୟାଟିଂ କରିବେ କାମଚଳା କ୍ୟାପଟେନ କେଏଲ ରାହୁଲ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଓପନର ଦାୟିତ୍ୱ ତୁଲାଇବେ । ଏନେଇ ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ରାହୁଲ । ବୁଧବାର ଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଆରମ୍ଭ ହେଉଛି ।
୨୯ ବର୍ଷୀୟ ରାହୁଲ ମଧ୍ୟକ୍ରମରେ ଏକାଧିକ ସ୍ଥାନରେ ଭାରତ ପାଇଁ ବ୍ୟାଟିଂ କରିଛନ୍ତି । ରୋହିତ ଶର୍ମା ଓ ଶିଖର ଧାୱନ ୫୦ ଓଭର ଫର୍ମାଟରେ ଓପନର ରହିଥିଲେ । ତେବେ ଫଟାଫଟ ଫର୍ମାଟରେ ଟିମରୁ ବାଦ୍ ପଡିବା ପରେ ଟି-୨୦ରେ ଭାରତର ନିୟମିତ ଓପନର ଭାବେ ଧାୱନଙ୍କ ସ୍ଥାନ ନେଇଛନ୍ତି ରାହୁଲ । ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ଗତ ୧୪-୧୫ ମାସରେ ୪ ଓ ୫ ନମ୍ବର ଓ ଭିନ୍ନଭିନ୍ନ ସ୍ଥାନରେ ବ୍ୟାଟିଂ କରିଛନ୍ତି । ରୋହିତ ଟିମରେ ନଥିବାରୁ ଶୀର୍ଷକ୍ରମରେ ବ୍ୟାଟିଂ କରିବି । ତେବେ ରାହୁଲ ଓପନିଂ ବ୍ୟାଟିଂ କରିବା ସ୍ପଷ୍ଟ ହୋଇଥିବାବେଳେ, ଭାରତୀୟ ଟିମ ଧାୱନ କିମ୍ବା ଋତୁରାଜ ଗାଏକ୍ୱାଡଙ୍କୁ ରାହୁଲଙ୍କ ପାର୍ଟନର ଭାବେ ଓପନିଂ ସୁଯୋଗ ଦେବ ଅପେକ୍ଷା ରହିଛି । ହ୍ୱାଇଟ୍-ବଲ୍ କ୍ୟାପଟେନ ରୋହିତଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ତୁଲାଇବାଇବାକୁ ଯାଉଥିବା ଷ୍ଟାର ବ୍ୟାଟର ରାହୁଲ କହିଛନ୍ତି, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ଭଳି ମହାନ କ୍ୟାପଟେନଙ୍କ ଅଧୀନରେ ଖେଳିଥିବାରୁ ଅନେକ କିଛି ଶିଖିବାକୁ ମିଳିଛି ।
